ଟଙ୍କା ଲୋଭରେ ଶ୍ରୀଗଣେଶଙ୍କୁ ଘୋର ଅସମ୍ମାନ !
ସବୁ ସୀମା ଟପିଗଲେ ବିରିୟାନୀ ବ୍ୟବସାୟୀ
ଗଣେଶଙ୍କୁ ରନ୍ଧାଇଲେ ବିରିୟାନୀ, ରାଗିଗଲେ ସନାତନୀ
ଗଣେଶ ଚତୁର୍ଥୀ ଅବସରରେ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥିଲା । ବିଘ୍ନବିନାଶକ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କୁ ବିଭିନ୍ନ ସ୍ଥାନରେ ଧୁମଧାମରେ ଆବାହନ କରାଯାଉଥିବାବେଳେ ତାମିଲନାଡୁର ଏକ ସ୍ଥାନରେ ଗଣେଶ ଚତୁର୍ଥୀରେ ଅଗ୍ରପୂଜ୍ୟଙ୍କୁ କରାଯାଇଛି ଘୋର ଅସମ୍ମାନ । ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ସମାଲୋଚନା ମଧ୍ୟ କରାଯାଉଛି । ଗଣେଶ ଚତୁର୍ଥୀ ଦିନ ତାମିଲନାଡୁରେ ଘଟିଥିବା ଏମିତି ଏକ ଘଟଣା ସନାତନ ଧର୍ମାବଲମ୍ୱୀଙ୍କୁ ଦେଇଛି ଶକ୍ତ ଝଟକା । ବ୍ୟବସାୟ ବଢାଇବା ପାଇଁ ସବୁ ସୀମା ଟପିଗଲେ ବ୍ୟବସାୟୀ । ଶେଷରେ ଭଗବାନ ଶ୍ରୀଗଣେଶଙ୍କୁ ମଧ୍ୟ ଛାଡିଲେନି । ଜଣେ ବିରିୟାନୀ ବ୍ୟବସାୟୀ ଏମିତି ଏକ ବିଜ୍ଞାପନ କରିଥିଲେ ଯାହା ଦେଖିବା ପରେ ତାଙ୍କର କଦର୍ଯ୍ୟ କାମକୁ ଚାରିଆଡୁ ନିନ୍ଦା କରାଯାଉଛି ଏବଂ ଶେଷରେ ସେ ବିରିୟାନୀ ବ୍ୟବସାୟୀଙ୍କୁ ଜେଲ ମଧ୍ୟ ଯିବାକୁ ପଡିଛି । ଘଟଣାଟି ଘଟିଛି ତାମିଲନାଡୁର ତିରୁନେଲଭେଲି ଅଞ୍ଚଳରେ । ଏଠାରେ ଜଣେ ବିରିୟାନୀ ବିକ୍ରି କରୁଥିବା ବ୍ୟବସାୟୀ ପ୍ରଭୁ ଗଣେଶ ଚିକେନ୍ ବିରିୟାନୀ ରାନ୍ଧୁଥିବା ନେଇ ଏକ ବ୍ୟାନର୍ ଲଗାଇଥିଲେ ଯାହାପରେ ତାଙ୍କ ବିରୋଧରେ ତୀବ୍ର ବିରୋଧ ସୃଷ୍ଟି ହୋଇଥିଲା । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋକାନ ମାଲିକଙ୍କୁ ଗିରଫ କରିଛି ।ସୂଚନା ମୁତାବକ, ଗଣେଶ ଚତୁର୍ଥୀ ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେବାକୁ ଯାଇ ୩୦ ବର୍ଷୀୟ ଜୟନ୍ତ ନିଜ ବିରିୟାନୀ ଦୋକାନରେ ବିଜ୍ଞାପନର ପୋଷ୍ଟର୍ ଲଗାଇଥିଲେ । ‘ଆରବିକ୍ ଷ୍ଟାଇଲ୍ ଚିକେନ୍ 65 ବିରିୟାନୀ’ ମାତ୍ର ୯୯ ଟଙ୍କାରେ ବିକ୍ରି କରାଯିବା ନେଇ ଏକ ବଡ ବ୍ୟାନର ଦୋକାନ ସାମ୍ନାରେ ଟଙ୍ଗାଯାଇଥିଲା । ଯେଉଁଥିରେ ପ୍ରଭୁ ଗଣେଶ ନିଜେ ହାଣ୍ଡିରେ ଚିକେନ୍ ବିରିୟାନୀ ରାନ୍ଧୁଥିବା ଭଳି ଚିତ୍ର ସ୍ଥାନ ପାଇଥିଲା । ଗଣେଶ ଚତୁର୍ଥୀ ଭଳି ପବିତ୍ର ସମୟରେ ଜଣେ ହିନ୍ଦୁ ଦେବତାଙ୍କୁ ଆମିଷ ଖାଦ୍ୟ ପ୍ରସ୍ତୁତ ସହ ଯୋଡି ପ୍ରଚାର କରିବାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ହିନ୍ଦୁ ସଂଗଠନଗୁଡ଼ିକ କ୍ରୋଧ ପ୍ରକାଶ କରିଥିଲେ । ବ୍ୟାନରଟି ସାମ୍ନାକୁ ଆସିବା ପରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ବ୍ୟାନରକୁ କାଢି ବାହାର କରିଦେଇଥିଲେ । ତେବେ ବର୍ତ୍ତମାନ ଉକ୍ତ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ କଠୋର ସମାଲୋଚନା କରିଛନ୍ତି ।