ପିପିଲି ସେଲ୍ଫି ପଏଣ୍ଟ ଯାହା ଦିନେ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା। ଏଠାକୁ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ କି ସ୍ଥାନୀୟ ଲୋକ, ସମସ୍ତେ ଏଠାରେ ଫଟୋ ଉଠାଇବାକୁ ଭିଡ଼ ଜମାଉଥିଲେ। କିନ୍ତୁ ଏବେ ସେହି ସେଲ୍ଫି ପଏଣ୍ଟ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଏବେ ଅଳିଆ ଆବର୍ଜନାରେ ପୋତି ହୋଇଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଚିତ୍ର ବଦଳିଯାଇଛି।
ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଥିଲା। ନିର୍ମାଣ ପରେ ଦୀର୍ଘ ସମୟ ଧରି ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ହେଲେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସେଲ୍ଫି ପଏଣ୍ଟର ରଙ୍ଗ ଫିକା ପଡ଼ିଯାଇଛି। ଏଠାରେ ଥିବା ଘୋଡ଼ା ମୂର୍ତ୍ତିଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଛି। ଚାରିପାଖରେ ଅଳିଆ ଆବର୍ଜନା ଜମି ରହିଥିବାରୁ ପରିବେଶ ମଧ୍ୟ ଅପରିଷ୍କାର ହୋଇପଡ଼ିଛି।
ସବୁଠାରୁ ବଡ଼ କଥା ହେଉଛି, ପୁରୁଣା ସେଲ୍ଫି ପଏଣ୍ଟର ଅବସ୍ଥା ଏଭଳି ଥିବା ବେଳେ ପିପିଲି ମଝିରେ ଆଉ ଏକ ନୂଆ ସେଲ୍ଫି ପଏଣ୍ଟ ନିର୍ମାଣ ପାଇଁ ଯୋଜନା ଚାଲିଥିବା କୁହାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପ୍ରଥମେ ପୁରୁଣା ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କରାଯାଉ, ତା’ପରେ ନୂଆ ପ୍ରକଳ୍ପ ନେଇ ଚିନ୍ତା କରାଯାଉ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।
ଏନେଇ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ୍ କହିଛନ୍ତି ଯେ, ସେଲ୍ଫି ପଏଣ୍ଟର ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି। ଏହାର ମରାମତି ପାଇଁ ୧୦ ଲକ୍ଷ ଟଙ୍କା ଆସିଛି। କିନ୍ତୁ ବିଭାଗୀୟ ଯନ୍ତ୍ରୀ ନଥିବାରୁ ମରାମତି କାମ ଆରମ୍ଭ ହୋଇପାରୁନାହିଁ ବୋଲି ସେ କହିଛନ୍ତି।
ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟନ ପ୍ରକଳ୍ପ ଯଦି ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଏ, ତେବେ ଏହାର ଦାୟିତ୍ୱ କାହାର—ସେନେଇ ପ୍ରଶ୍ନ ଉଠିଛି। ପୁରୁଣା ସେଲ୍ଫି ପଏଣ୍ଟର ମରାମତି କେବେ ହେବ ଏବଂ ପ୍ରସ୍ତାବିତ ନୂଆ ସେଲ୍ଫି ପଏଣ୍ଟ କେବେ ବାସ୍ତବ ରୂପ ନେବ, ତାହାକୁ ଏବେ ଅପେକ୍ଷା କରିଛନ୍ତି ପିପିଲିବାସୀ।