ଆଜି ରାତି ସୁଦ୍ଧା ହେବ ଗଭୀର ଅବପାତ
ଓଡିଶାରେ ତାଣ୍ଡବ ରଚିବ ବାତ୍ୟା ଅର୍ଣ୍ଣବ
୬ ଜିଲ୍ଲାରେ ସାଂଘାତିକ ବର୍ଷା ଅନୁମାନ
ଏପଟେ ରାଜ୍ୟରେ ବର୍ଷାର ପରିମାଣ ବଢୁଛି ଆଉ ସେପଟେ ବାତ୍ୟାକୁ ନେଇ ଭୟ ସେତିକି ବଢିବାରେ ଲାଗିଛି । ବାତ୍ୟା ଅର୍ଣ୍ଣବ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ସମୁଦ୍ରରେ ବଳ ଗୋଟାଇ ମାଡି ଆସୁଛି ଅର୍ଣ୍ଣବ । ଗତକାଲିଠାରୁ ରାଜ୍ୟରେ ତୁହା କୁ ତୁହା ବର୍ଷା ଲାଗିରହିଥିବାବେଳେ ଆସନ୍ତା 23 ଓ 24ରେ ସାରା ରାଜ୍ୟରେ ସାଂଘାତିକ ବର୍ଷା ହେବାର ସମ୍ଭାବନା ରହିଛି । ଛଅଟି ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ମୁତାବକ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇସାରିଛି ଲଘୁଚାପ । ଅଧିକ ଘନୀଭୂତ ହୋଇ ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ତେବେ ଦକ୍ଷିଣ ଓ ଉପକୂଳ ଓଡିଶାକୁ ଅଧିକ ବିପଦ ସମ୍ଭାବନା ରହିଛି ।
ସମ୍ଭାବ୍ୟ ବାତ୍ୟା ଏବେ ଗୋପାଳପୁରରୁ ୨୫୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ, ପୁରୀଠାରୁ ୨୭୦ କିମି ଦକ୍ଷିଣ, କଳିଙ୍ଗପଟନମରୁ ୩୩୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପଟନମରୁ ୪୧୦ କି.ମି ପୂର୍ବ ଦିଗରେ ରହିଛି । ଗଭୀର ଅବପାତରେ ପରିଣତ ହେବାପରେ ୨୩ ତାରିଖ ରାତି ଓ ୨୪ ଭୋର ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଆଜି ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ତେବେ ଆସନ୍ତାକାଲିଠୁ ଆହୁରି ବଢିପାରେ ବର୍ଷା । ଆସନ୍ତାକାଲି ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସେହିଭଳି ୨୪ ତାରିଖରେ ୪ ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ରହିଛି ରେଡ୍ ଆଲର୍ଟରେ । ୨୩ ଓ ୨୪ ତାରିଖ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।