ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ବାଣିଜ୍ୟ (Commerce) ବିଭାଗର ପ୍ରଶ୍ନପତ୍ର, ପରୀକ୍ଷା ପୂର୍ବରୁ ହ୍ୱାଟସ୍ଆପ୍ରେ ପ୍ରଚାରିତ ହେବା ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ରାଜ୍ୟର ପ୍ରାୟ ୩୦୦ଟି ସଂଲଗ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଛି। ଯେଉଁଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି। ଏହି ପରୀକ୍ଷା ସେପ୍ଟେମ୍ବର ୨୪ ତାରିଖରେ ଶେଷ ହେବ।
ଗୁରୁବାର (ସେପ୍ଟେମ୍ବର ୧୭) ଦିନ ନିର୍ଦ୍ଧାରିତ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ବାଣିଜ୍ୟ ବିଭାଗର ଏକ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଶୁକ୍ରବାର ଦିନ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲିକ୍ର ଉତ୍ସ ଖୋଜିବା ପାଇଁ ଶହୀଦ ନଗର ଥାନାରେ ଅଭିଯୋଗ ଦାୟର କରିଛନ୍ତି। ଆବଶ୍ୟକ ପଡ଼ିଲେ ସାଇବର ଥାନାର ସହାୟତା ମଧ୍ୟ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ହୃଷୀକେଶ ନାୟକ କହିଛନ୍ତି, “ସୋସିଆଲ ମିଡିଆରେ ବାଣିଜ୍ୟ ବିଭାଗର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଆସିଥିବା ଅଭିଯୋଗ ଆଧାରରେ, ଆମେ ଲିକ୍ର ଉତ୍ସ ଜାଣିବା ପାଇଁ ଅଭିଯୋଗ ଦାୟର କରିଛୁ। ରାଜ୍ୟବ୍ୟାପୀ ପରୀକ୍ଷା ପରିଚାଳନା କରୁଥିବା କୌଣସି ମହାବିଦ୍ୟାଳୟରୁ ଏହି ଲିକ୍ ସମ୍ପର୍କରେ ଆମକୁ କୌଣସି ସୂଚନା ମିଳିନାହିଁ। ଦୁର୍ଭାବନାପୂର୍ଣ୍ଣ ଉଦ୍ଦେଶ୍ୟ ରଖି ବିଶ୍ୱବିଦ୍ୟାଳୟର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।” ପୋଲିସ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛି।