ହିଞ୍ଜିଳିକାଟୁ ବ୍ଲକ୍ ସାରୁ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ସ୍ୱାଭିମାନ ଫାଉଣ୍ଡେସନ ପକ୍ଷରୁ ସରପଞ୍ଚ ନିଳାଞ୍ଚଳ ସାହୁଙ୍କ ନେତୃତ୍ୱରେ ବୃକ୍ଷରୋପଣ ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ।ପରିବେଶର ସନ୍ତୁଳନ ରକ୍ଷା କରିବା ସହ ଆଗାମୀ ପିଢ଼ିକୁ ଏକ ସୁସ୍ଥ ବାତାବରଣ ଯୋଗାଇଦେବା ଲକ୍ଷ୍ୟରେ ଆଗେଇ ଆସିଛି ଓଡ଼ିଶା ସ୍ବାଭିମାନ ଫାଉଣ୍ଡେସନ। ସଂଗଠନ ପକ୍ଷରୁ ବୃକ୍ଷରୋପଣ ଉପରେ ସମାଜକୁ ଏକ ବଡ଼ ବାର୍ତ୍ତା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସ୍ୱାଭିମାନ ଫାଉଣ୍ଡେସନର ସଭାପତି ଅମ୍ବିକା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ।ସେହିପରି ସଭା ମଞ୍ଚକୁ ଯୁବ ବିଜେଡି ନେତା ମନୋଜ କୁମାର ସବାତ ପରିଚାଳନା କରିବାସହ ଗଛ ହିଁ ଆମର ପ୍ରକୃତ ବନ୍ଧୁ ଏବଂ ପ୍ରତି ପ୍ରାଣୀର ଜୀବନ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଏହାସହ କଞ୍ଚୁଡ଼ୁ ମହନ୍ତ ହରିହର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗ୍ରାମବାସୀଙ୍କୁ ଗଛ ଲଗାଇବା ସହ ତାର ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ।
ଏହି ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ହିଞ୍ଜିଳିକାଟୁ ବ୍ଲକର ଉପାଧ୍ୟକ୍ଷ ସୁନୀଲ୍ ଗନ୍ତାୟତ, ସରପଞ୍ଚ କୃଷ୍ଣ ଚନ୍ଦ୍ର ଭଉଳ, ଅମର ବରଡ଼, ଗଣପତି ସାହୁ, ପୁରୋହିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ, କୃଷ୍ଣ ନିଳା ନାଟକ ସଭାପତି ଜି.ହରିବନ୍ଧୁ ମଞ୍ଚଆସୀନ ଥିଲେ ସାରୁ ଗ୍ରାମର ବହୁ ସଂଖ୍ୟାରେ ମହିଳା, ପୁରୁଷ ଓ ଯୁବକମାନେ ଆଗେଇ ଆସିଥିଲେ। ସମସ୍ତେ ମିଶି ଓଡିଶା ସ୍ୱାଭିମାନ ଫାଉଣ୍ଡେସନ ତରଫରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଏକ ବନ୍ଧ ନିକଟରେ ବିଭିନ୍ନ କିସମର ୨୦୦ରୁ ଉର୍ଦ୍ଧ ଗଚ୍ଛ ଲଗାଇବା ସହ ଏହାର ଯତ୍ନ ନେବାକୁ ସଂକଳ୍ପ କରିଥିଲେ।