ଡ୍ରାଇଭର ମହାସଂଘର ଆନ୍ଦୋଳନ ଡାକାରା: ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ୱର: ରାଜଧାନୀରେ ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ଡ୍ରାଇଭର ମହାସଂଘ । ଆନ୍ଦୋଳନକୁ ନେଇ ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଡ୍ରାଇଭର ମହାସଂଘର ଦାବି ନେଇ ଏକ କମିଟି ଗଠନ କରାଯିବ । ପରିବହନ ଓ ଶ୍ରମ ବିଭାଗ ଅଧୀନରେ ଏହି କମିଟି ଗଠନ ହେବ । ୩ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ପୂରଣ ନେଇ ଉଦ୍ୟମ କରାଯିବ ।

ଅନ୍ୟପକ୍ଷେ ମନ୍ତ୍ରୀଙ୍କ ଏହି ପ୍ରସ୍ତାବରେ ନାଖୁସ୍ ହୋଇଛନ୍ତି ଡ୍ରାଇଭର ମହାସଂଘ । ଆଜି ତାଙ୍କର ଦାବି ପୂରଣ ନହେଲେ ସେମାନେ ଆନ୍ଦୋଳନରୁ ଓହରିବେନି ବୋଲି ସଂଘ ଚେତାବନୀ ଦେଇଛି । ଆଜି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଲୋଏର ପିଏମଜିରେ ଏକାଠି ହୋଇଥିଲେ । ପରେ ଲୋକସେବା ଭବନକୁ ଶୋଭାଯାତ୍ରା କରି ଯାଇଛନ୍ତି । ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ । ୩୦ ଜିଲ୍ଲାର ଗାଡି ଚାଳକମାନେ ରାଜଧାନୀରେ କରୁଛନ୍ତି ବିଶାଳ ସମାବେଶ ।ତେବେ ଆନ୍ଦୋଳନ ସ୍ଥଳରେ ସୁରକ୍ଷାକର୍ମୀଙ୍କ ସହିତ ସଂଘ କର୍ମକତାଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଛି । ଏତେ ସଂଖ୍ୟାରେ ଡ୍ରାଇଭର ଏକାଠି ହୋଇଥିବାରୁ ରାଜଧାନୀରେ ସାଂଘାତିକ ଟ୍ରାଫିକ ଜାମ୍ ପରିସ୍ଥିତ ଉପୁଜିଛି । ଏହା ସହ ଗମନାଗମନ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିଛି ।

ସୂଚନା ଅନୁଯାୟୀ, ପୂର୍ବରୁୁ ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ଭୁବନେଶ୍ୱର ପଦଯାତ୍ରା କରିଥିଲା । ଯାହାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ବୁଝାସୁଝା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥଲା ସଂଘ । ପଞ୍ଚାୟତ ନିର୍ବାଚନ ପରେ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।