ଗଞ୍ଜେଇ ଚୋରାଚାଲାଣ ପାଇଁ ମାଫିଆମାନେ ଏବେ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏଥର ଆମ୍ବୁଲାନ୍ସକୁ ଚୋରାଚାଲାଣର ମାଧ୍ୟମ କରିଥିବା ବେଳେ କାଲିମେଳା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ। ମାଲକାନଗିରିରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ସମୟରେ ପୁଲିସ ଏହି ଚୋରାଚାଲାଣକୁ ଧରିବାରେ ସଫଳ ହୋଇଛି।

ସୂଚନା ଅନୁସାରେ, ଏକ ଆମ୍ବୁଲାନ୍ସର ଗୁପ୍ତ ଚାମ୍ବର ଭିତରେ ୨୦୦ କିଲୋରୁ ଅଧିକ ଗଞ୍ଜେଇ ଲୁଚାଇ ମହାରାଷ୍ଟ୍ରକୁ ନିଆଯାଉଥିଲା। ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇ କାଲିମେଳା ପୁଲିସ ନଜର ରଖିଥିଲା। ପରେ ସୁଧାକୋଣ୍ଡା ଜଙ୍ଗଲ ଅଞ୍ଚଳରେ ଆମ୍ବୁଲାନ୍ସଟିକୁ ଅଟକାଇ ଯାଞ୍ଚ କରାଯିବାରୁ ଏହାର ଗୁପ୍ତ ଚାମ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା।

ଘଟଣାସ୍ଥଳରୁ ପୁଲିସ ଆମ୍ବୁଲାନ୍ସକୁ ଜବତ କରିବା ସହ ଏହି ଚୋରାଚାଲାଣରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ମାଲକାନଗିରିରୁ ଗଞ୍ଜେଇ ନେଇ ମହାରାଷ୍ଟ୍ର ଯିବାକୁ ଯୋଜନା କରିଥିବା ପୁଲିସ ସୂଚନା ଦେଇଛି।

ଜବତ ହୋଇଥିବା ଗଞ୍ଜେଇର ପରିମାଣ ୨୦୦ କିଲୋରୁ ଅଧିକ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୨୦ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଆମ୍ବୁଲାନ୍ସ ଭଳି ଯାନକୁ ବ୍ୟବହାର କରି ଚୋରାଚାଲାଣ କରାଯାଉଥିବା ଘଟଣା ଏବେ ଚିନ୍ତା ବଢ଼ାଇଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ଚୋରାଚାଲାଣ ପଛରେ କେଉଁ ରାକେଟ୍ କାମ କରୁଛି, ସେନେଇ କାଲିମେଳା ପୁଲିସ ତଦନ୍ତ ଜାରି ରଖିଛି।