ବ୍ୟାରିକେଟ ଭାଙ୍ଗି ମନ୍ଦିର ଭିତର କୁ ଧସେଇ ପସିଲେ ଭକ୍ତ

(ରିପୋର୍ଟସ ଟୁଡେ) ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଦିନକୁ ଦିନ ବିଶୃଙ୍ଖଳିତ ହେବାରେ ଲାଗିଛି। ଧାଡ଼ିରେ ଅସମ୍ଭାଳ ଭିଡ଼ ଭକ୍ତଙ୍କୁ ଅଣନିଃଶ୍ବାସୀ କରି ପକାଉଛି। ପ୍ରବଳ ଭିଡ଼ରୁ ବର୍ତିବା ପାଇଁ ଭକ୍ତମାନେ ଅସୁରକ୍ଷିତ ଭାବେ ଗଳିଆ ବାଟ ଦେଖି ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ଏଥି ପାଇଁ ଦୈନିକ ଠେଲାପେଲା ସାଙ୍ଗକୁ ଉତ୍ତେଜନା ମଧ୍ୟ ପ୍ରକାଶ ପାଉଛି। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଆଜି ପର୍ୟ୍ୟନ୍ତ ଶୃଙ୍ଖଳା ଅଣାଯାଇ ପାରିନଥିବାରୁ ସବୁ ଦିନ ଏଭଳି ପରିସ୍ଥିତି ଉପୁଜୁଛି। ବିଶେଷ କରି ଛୁଟି ଦିନମାନଙ୍କରେ ଏହା ଅଣାୟତ୍ତ ହୋଇପଡ଼ୁଛି। ଆଜି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନେ ପୁଲିସଙ୍କୁ ଠେଲାପେଲା କରିଛନ୍ତି। ଶହ ଶହ ସଂଖ୍ୟାରେ ଭକ୍ତ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ପାଦଧୁଆ ସ୍ଥାନ ଦେଇ ଅନେକ ଶ୍ରୀମନ୍ଦିରରେ ପଶିଥିବା ବେଳେ ଏହାକୁ କିଛି ସେବାୟତ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିଛି। କିନ୍ତୁ ଆରମ୍ଭରୁ ସେବାୟତ, ବିଭିନ୍ନ ସଂଗଠନ ଏହାକୁ ଦୃଢ଼ ବିରୋଧ କରି ଆସୁଛନ୍ତି। ଏହାକୁ ନେଇ ନିକଟରେ ପୁରୀରେ ଭୟଙ୍କର ହିଂସାକାଣ୍ଡ ଘଟିଥିଲା। ତଥାପି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଶୃଙ୍ଖଳିତ କରି ପାରୁନଥିବାରୁ ଦିନକୁ ଦିନ ଦର୍ଶନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି।