ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ରୋଗୀ କଲ୍ୟାଣ ସମିତି ବୈଠକ। ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଏଥିରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୂଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା ଏବଂ ଗଣିଆ ବିଡିଓ ଲବଣେନ୍ଦୁ ମହାନ୍ତି ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ବୈଠକରେ ଗଣିଆ ସରପଞ୍ଚ ଗିରିଧାରୀ ସେଠି, ସମିତି ସଭ୍ୟ ଫକିର ମୋହନ ଡାକୁଆ, ଶିକ୍ଷକ ପ୍ରତିନିଧି ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଶବ ବ୍ୟବଛେଦ ଗୃହ ଓ ପାଚେରୀ ନିର୍ମାଣ। ନୂତନ ଗୃହ କାର୍ଯ୍ୟର ବିଳମ୍ବ ସମ୍ପର୍କରେ ଆଲୋଚନା। ଅଞ୍ଚଳବାସୀଙ୍କୁ ସୁଚାରୁ ରୂପେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ବିଦ୍ୟମାନ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଭଳି ମୁଖ୍ୟ ଆଲୋଚନା ହୋଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ବିକାଶମୂଳକ ପଦକ୍ଷେପ ଅଞ୍ଚଳବାସୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।