(ରିପୋର୍ଟସ ଟୁଡ଼େ): ଓଡ଼ିଶାର ୫ ମହାନଗର ନିଗମ ସହ ପୁରୀ ସହରରେ ସରକାର ପ୍ଲାଷ୍ଟିକ୍ ଉପରେ କଟକଣା ଲଗାଇବା ପରେ ସାଧାରଣ ଜନତା ତଥା ପ୍ଲାଷ୍ଟିକ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ବହୁମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏହି ପ୍ଲାଷ୍ଟିକ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ କ୍ଷତିଗ୍ରସ୍ତ ହେବାରୁ ବଞ୍ଚାଇବା ତଥା ଜନସାଧାରଣଙ୍କ ସୁବିଧା ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ଆୟୋଜିତ ହୋଇଥିଲା ‘ନେକ୍ସଟ ଟୁ ପ୍ଲାଷ୍ଟିକ୍’ ଶୀର୍ଷକ ଏକ କର୍ମଶାଳା।
‘ଓଡ଼ିଶା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସଂଘ (ଓଏଏସ୍ଏମ୍ଇ)’ ଓ ‘ହୋପୋ ଓଭରସିଜ୍ ପ୍ରାଇଭେଟ୍ ଲିମିଟେଡ୍’ର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରପ୍ତାନୀ ଭବନସ୍ଥିତ ଓଡ଼ିଶା ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟଠାରେ ଏହି କର୍ମଶାଳା ଆୟୋଜିତ ହୋଇଯାଇଥିଲା। ପ୍ଲାଷ୍ଟିକ୍ କାରବାର ସହିତ ଜଡ଼ିତ ବହୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଏଥିରେ ଅ˚ଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ ପ୍ଲାଷ୍ଟିକ୍ ୟୁନିଟ୍ଗୁଡ଼ିକୁ ବନ୍ଦ ହେବାରୁ ବଞ୍ଚାଇବା ପାଇଁ ସେମାନଙ୍କୁ ପ୍ଲାଷ୍ଟିକର ବିକଳ୍ପ ବ୍ୟବସ୍ଥା ଯୋଗାଇଦେବା ଉପରେ ଆଲୋଚନା କରାଯାଇଥିଲା। ଏନେଇ କୋରିଆର ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଓଡ଼ିଶା ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶକ ଶରଣ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଓଏଏସ୍ଏମ୍ଇର ଅଧ୍ୟକ୍ଷ ଗୌରୀଶଙ୍କର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ସାଧାରଣ ସଂପାଦକ ସାତ୍ତ୍ବିକ ସ୍ବାଇଁ ପ୍ରାରମ୍ଭିକ ସୂଚନା ଦେଇଥିଲେ।