ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହ ଆଜି ଆବୁଧାବିରେ ପହଞ୍ଚିଛନ୍ତି। ଏହା ସହିତ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ ହୋଇଛି।
ଆବୁଧାବିରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳକୁ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ୟୁଏଇରେ ଥିବା ଅଧିକାରୀ ଓ ପ୍ରତିନିଧିମାନେ ସ୍ୱାଗତ କରିଥିଲେ। ଏହାସହ ୟୁଏଇରେ ଥିବା ଭାରତୀୟ ଦୂତାବାସର ପ୍ରତିନିଧିମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଶ୍ୱର ବିଭିନ୍ନ ନିବେଶକ, ସାର୍ବଭୌମ ନିବେଶ ସଂସ୍ଥା ଏବଂ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ଏକାଧିକ ଉଚ୍ଚସ୍ତରୀୟ ବୈଠକ ଓ ଆଲୋଚନାରେ ଯୋଗଦେବେ। ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ନିବେଶ ଆକୃଷ୍ଟ କରିବା ସହ ଆନ୍ତର୍ଜାତୀୟ ଭାଗିଦାରିତାକୁ ସୁଦୃଢ଼ କରିବା ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ରହିଛି।
ଏହି ଗସ୍ତ ଅବସରରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ’ ଆୟୋଜିତ ହେବ। ଏଥିସହ ଦୁବାଇରେ ପ୍ରବାସୀ ଓଡ଼ିଆମାନଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବ। ଏହା ମାଧ୍ୟମରେ ବିଶ୍ୱସ୍ତରରେ ଓଡ଼ିଶାର ନିବେଶ ଅଭିଯାନକୁ ଆହୁରି ଆଗକୁ ନେବା ଦିଗରେ ପଦକ୍ଷେପ ନିଆଯିବ।