(ମାନସ ପ୍ରଧାନ): ପାରିବାରିକ କଳହର କରୁଣ ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାହା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଯୋଗିଆପଲ୍ଲୀ ପଞ୍ଚାୟତରେ ଦେଖିବାକୁ ମିଳିଛି।
ସୂଚନାଅନୁଯାୟୀ, ଉକ୍ତ ପଞ୍ଚାୟତ ଅଧୀନ ଲକ୍ଷ୍ମୀପ୍ରସାଦ ଖଜୁରୀ ପୋଖରୀ ଗାଁର ଦମ୍ପତ୍ତି ବାବି ଖୁଣ୍ଟିଆ ଓ ପତ୍ନୀ କଲ୍ୟାଣୀ ଖୁଣ୍ଟିଆଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ଲାଗୁଥିଲା। ହେଲେ ଆଜି ସମସ୍ତ ସୀମା ଟପି ଯାଇଥିଲା। ରବିବାର ଅପରାହ୍ଣରେ କୌଣସି ଘଟଣାକୁ ନେଇ ଏହି ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ପତ୍ନୀ କଲ୍ୟାଣୀଙ୍କ ପକ୍ଷେ ଏହା ଅସହ୍ୟ ହୋଇ ପଡ଼ିଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ କଲ୍ୟାଣୀ ନିଜ ପୁଅ ସାଇ ଓ ଝିଅ ଶିବାନୀକୁ ବିଷ ପିଆଇ ଘର ପଛ ପଟେ ଥିବା ପୋଖରୀକୁ ଫିଙ୍ଗି ଦେବା ସହ ନିଜେ ବିଷ ପିଇ ପୋଖରୀକୁ ଡେଇଁ ପଡ଼ିଥିଲେ। ଗ୍ରାମବାସୀ ଏହି ଘଟଣା ଦେଖିବା ପରେ ତିନି ଜଣଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ବେଳକୁ ଉଭୟ ସାଇ ଓ ଶିବାନୀଙ୍କର ମୃତ୍ୟୁ ହୋଇ ସାରିଥିଲା। କଲ୍ୟାଣୀ ଏବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିଲା। ଖବର ପାଇ ଖଣ୍ଡପଡ଼ା ପୁଲିସ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ବାବି ଖୁଣ୍ଟିଆ ଫେରାର ଅଛନ୍ତି। ଅପରପକ୍ଷେ କଲ୍ୟାଣୀଙ୍କ ବାପ ଘର ଲୋକେ ତାଙ୍କ ଝିଅର ଆତ୍ମହତ୍ୟା ପ୍ରସଙ୍ଗକୁ ଖଣ୍ଡନ କରିଥିବା ବେଳେ ଶାଶୂ ଘର ଲୋେକ ସମସ୍ତଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ କରିଛନ୍ତି।