(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ଦେଶବାସୀଙ୍କୁ ଯୋଡିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଡିଜିଟାଲ ଇଣ୍ଡିଆର ବ୍ୟବସ୍ଥାକୁ ଆଗେଇ ନେଉଛନ୍ତି । କିନ୍ତୁ ଏବେ ବି ମୟୁରଭଞ୍ଜ ଜିଲ୍ଲାର କିଛି ଗାଁରେ ଏହି ବ୍ୟବସ୍ଥା ଉପଲବ୍ଧ ହୋଇନାହିଁ । ସାମାନ୍ୟ ମୋବାଇଲ ନେଟୱର୍କ ପାଇବା ପାଇଁ ଲୋକଙ୍କୁ ନାନା କସରତ କରିବାକୁ ପଡୁଛି । ଏଭଳି ଦୃଶ୍ୟ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ବାଉଡିବଡା ଏବଂ ଏନବି ପୋଖରିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ଦୁଇ ପଞ୍ଚାୟତ ଅଧିନରେ ଥିବା ସମୁଦାୟ ୧୩ଟି ଗାଁ ଡିଜିଟାଲ ସେବାରୁ ବଞ୍ଚିତ ରହିଛି । ଏନବି ପଞ୍ଚାୟତର ପୋଖରିଆ ଗାଁରେ କାଁ ଭାଁ ମୋବାଇଲ ନେଟୱର୍କ ଆସୁଥିବା ବେଳେ ଏକତାଳି, ରଙ୍ଗାମାଟିଆ, ପୁନଖି, ଦାନ୍ତୁଣୀ, କୁଲଗିଡ଼ିହି, ଅଶନଶିକଡ଼, ଘଡାବିନ୍ଧା, ଏବଂ ବାଉତିବେଡା ପଂଚାୟତର ଓଷାଡଲା, ବଡବାଲିଚୁଆ ଆଦି ଗାଁରେ କୌଣସି ପ୍ରକାର ମୋବାଇଲ ନେଟୱର୍କ ଆସୁନଥିବା ଦେଖିବାକୁ ମିଳିଛି । ଫଳରେ ଏହି ଗାଁ ଗୁଡିକର ଲୋକେ ମୋବଇଲ ସେବାରୁ ବଞ୍ଚିତ ହେଉଛନ୍ତି କ୍ଷ ତେବେ କରୋନା କଟକଣା ପାଇଁ ସ୍କୁଲ, କଲେଜ ନ ଆସି ଘରେ ରହି ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ଅନଲାଇନ ପାଠପଢାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଗାଁ ଗୁଡିକୁ ଏଯାଏ ମୋବାଇଲ ନେଟୱର୍କ ପହଞ୍ଚି ନଥିବାରୁ ଛାତ୍ରମାନେ ଗଛ ଉପରେ ବସି ଅନଲାଇନ କ୍ଲାସ କରୁଥିବା ଦେଖିବାକୁ ମିଳିଛି । ଏପରିକି ମୋବାଇଲ ନେଟୱର୍କରୁ ବଞ୍ଚିତ ଏହି ୨ଟି ପଞ୍ଚାୟତର ଲୋକେ ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇପାରୁନାହାନ୍ତି । ଏଭଳି ସମୟରେ ସେମାନଙ୍କୁ ଗଛ ଉପରେ ଚଢି ବା କୌଣସି ଉଚ୍ଚ ସ୍ଥାନରେ ବସି ମୋବାଇଲ ବ୍ୟବହାର କରିବାକୁ ପଡିଥାଏ । ତେବେ ଆଦିବାସୀ ଅଧ୍ୟୁଷିତ ଉକ୍ତ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ତୁରନ୍ତ ମୋବାଇଲ ନେଟୱର୍କ ପହଞ୍ଚି ପାରିଲେ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଅନ୍ୟମାନଙ୍କ ପରି ସରଳ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।