ଭୁବନେଶ୍ୱର: ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ଅନ୍ତର୍ଗତ ନାଲଖେଡାର ମା’ ବଗଳାମୁଖୀ ମନ୍ଦିର ନିକଟରେ ବର୍ଷା ଯୋଗୁଁ ଫୁଲିଥିବା ଏକ ନାଳରେ ଭାସିଯାଇ ପ୍ରାଣ ହରାଇଥିବା ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ଆତ୍ମାରାମ ବସ୍ତିର ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କ ମୃତଦେହ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲା ଏବଂ ପରେ ପୁରୀ ସ୍ୱର୍ଗଦ୍ୱାରରେ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମୃତଦେହଗୁଡ଼ିକ ଆସି ପହଞ୍ଚିଥିଲା। ଆଗର-ମାଲୱା ଜିଲ୍ଲାର ରାଜସ୍ୱ ବିଭାଗର ଚାରି ଜଣ ବରିଷ୍ଠ ଅଧିକାରୀ ଏବଂ ଏକ ପୋଲିସ ଦଳ ତିନୋଟି ଆମ୍ବୁଲାନ୍ସ ଯୋଗେ ମୃତଦେହ ଗୁଡ଼ିକୁ ଆଣିଥିଲେ। ମୃତଦେହ ଆସିବା ଖବର ପ୍ରଚାରିତ ହେବା ପରେ ବନମାଳୀ ବେହେରାଙ୍କ ଘର ସାମ୍ନାରେ ଏବଂ ଜୟଦେବ ବିହାର ଛକରେ ପ୍ରବଳ ଭିଡ଼ ଜମିଥିଲା। ଏହା ପୂର୍ବରୁ, ମୃତଦେହ ଆସିବା ମାତ୍ରେ ପରିବାରବର୍ଗ ବନମାଳୀଙ୍କ ଘର ସାମ୍ନାରେ ସାତୋଟି କୋକେଇ ପ୍ରସ୍ତୁତ କରି ରଖିଥିଲେ।

ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ବନମାଳୀଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ଓ ରିତା ରାଣୀ, ଜ୍ୱାଇଁ ଜ୍ଞାନେନ୍ଦ୍ର, ଦୁଇ ନାତି ଓ ଜଣେ ନାତୁଣୀଙ୍କ ମୃତଦେହ ବସ୍ତିରେ ପହଞ୍ଚିବା ବେଳେ ପରିବେଶ ଭାବବିହ୍ୱଳ ହୋଇପଡ଼ିଥିଲା ଏବଂ ସମଗ୍ର ଅଞ୍ଚଳ କ୍ରନ୍ଦନରୋଳରେ ଫାଟି ପଡ଼ିଥିଲା। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ସଂଘର୍ଷ କରିବାକୁ ପଡ଼ିଥିଲା। ପୋଲିସ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲେ।

ଏହା ପରେ, ତିନୋଟି ଶବବାହୀ ଗାଡ଼ି ଯୋଗେ ମୃତଦେହଗୁଡ଼ିକୁ ଜୟଦେବ ବିହାରରୁ ଗାଢ଼କଣା ସ୍ଥିତ ସେମାନଙ୍କ ପୈତୃକ ଘରକୁ ନିଆଯାଇଥିଲା। ସେଠାରେ ସମ୍ପର୍କୀୟ ଓ ଗ୍ରାମବାସୀମାନେ ଶେଷ ଦର୍ଶନ କରିଥିଲେ। ପରେ, ସମସ୍ତ ସାତୋଟି ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା, ଯେଉଁଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।