ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ, ଗୃହର କାର୍ଯ୍ୟକ୍ରମ ସୁରୁଖୁରୁରେ ପରିଚାଳନା କରିବା ଲାଗି ବାଚସ୍ପତି ସୁରମା ପାଢ଼ୀ ଆଜି ଏକ ସର୍ବଦଳୀୟ ବୈଠକ ଡାକିଥିଲେ।

ଆସନ୍ତାକାଲି (ସେପ୍ଟେମ୍ବର ୨୨) ଠାରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ଏହି ବୈଠକ ଅନୁଷ୍ଠିତ ହେବ। ଗୃହର ଶୃଙ୍ଖଳିତ ପରିଚାଳନା ପାଇଁ ବାଚସ୍ପତି ପାଢ଼ୀ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କଠାରୁ ସହଯୋଗ କାମନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ,ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ,ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଂଗ୍ରେସ ଦଳ ଉପ ନେତା ଅଶୋକ ଦାସ ଉପସ୍ଥିତ ଥିଲେ |

ମୌସୁମୀ ଅଧିବେଶନ ମଙ୍ଗଳବାର ଦିନ ଆରମ୍ଭ ହେବ ଏବଂ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକାଂଶ ଦିନ ସରକାରୀ କାର୍ଯ୍ୟ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ, ସେପ୍ଟେମ୍ବର ୨୬ ତାରିଖ ଶୁକ୍ରବାର ଦିନକୁ ‘ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ’ (Private Members’ Business) ପାଇଁ ସ୍ଥିର କରାଯାଇଛି। ଯେଉଁଥିରେ ବିଲ୍ ଏବଂ ସଂକଳ୍ପ ଆଦି ଅନ୍ତର୍ଭୁକ୍ତ ରହିବ।ଅନ୍ୟପକ୍ଷରେ, ରାଜନୈତିକ ଦଳଗୁଡ଼ିକ ଏହି ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜୁ ଜନତା ଦଳ (ବିଜେଡି) ଆଜି ସନ୍ଧ୍ୟା ୫ଟାରେ ନିଜର ବିଧାୟକ ଦଳର ରଣନୀତି ବୈଠକ କରିବ, ଯେତେବେଳେ କି କଂଗ୍ରେସ ବିଧାୟକ ଦଳ ଆସନ୍ତାକାଲି ସକାଳେ ବୈଠକ କରିବ।

ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି, ଯେପରିକି ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ୍, ବିଦ୍ୟାଳୟ ପାଠ୍ୟପୁସ୍ତକରେ କଥିତ ମୁଦ୍ରଣ ଜନିତ ତ୍ରୁଟି ଏବଂ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି। ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭା ପରିସର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ୩୬ ପ୍ଲାଟୁନ୍ ପୋଲିସ ବଳ ସହିତ ୧୫୦ରୁ ଅଧିକ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯିବ।