( ରିପୋର୍ଟସ ଟୁଡ଼େ) ସମ୍ବଲପୁର ସହରରେ ପ୍ରଥମେ ଆରମ୍ଭ ହୋଇଛି ମିଲ୍କ ଏଟିଏମ ସେବା । ସହରର ଯୁବ ବ୍ୟବସାୟୀ ଅଶ୍ୱିନୀ କୁମାର ନାୟକ ମିଲ୍କ ଏଟିଏମ ଆରମ୍ଭ କରିଛନ୍ତି । ଏଟିଏମ କାର୍ଡ଼ ଭଳି ମିଲ୍କ ଏଟିଏମ କାର୍ଡ଼କୁ ସ୍ୱାଇପ କଲେ ମେସିନରୁ କ୍ଷୀର ବାହାରୁଛି । ଯାହା କି ଶୁଦ୍ଧ ଗାଈ କ୍ଷୀର ବୋଲି ଦାବି କରାଯାଉଛି । ଏହି ମେସିନ ଦ୍ୱାରା ଯୁବ ବ୍ୟବସାୟୀ ଜଣକ ଦିନକୁ ୭୫ ଲିଟର କ୍ଷୀର କାରବାର କରୁଛନ୍ତି ।
ସମ୍ବଲପୁର ସାକ୍ଷୀପଡ଼ାର ବ୍ୟବସାୟୀ ଅଶ୍ୱିନୀ ନାୟକ ଜଣେ ଆଇଟି ପ୍ରଫେସନାଲ । ଅଶ୍ୱିନୀ ତାଙ୍କ ସାଙ୍ଗଙ୍କ ସହଯୋଗରେ ଦିଲ୍ଲୀରେ ମିଲ୍କ ଏଟିଏମକୁ ନିର୍ମାଣ କରିଛନ୍ତି । ଆଉ ତାଙ୍କ ଫାରମ ହାଉସରେ ଥିବା ୩୦ ଗାଈଙ୍କ କ୍ଷୀର ସଂଗ୍ରହ କରି ସମ୍ବଲପୁର ଆଣି ଏହି ମେସିନ ସାହାର୍ଯ୍ୟରେ ବିକ୍ରି କରିଥାନ୍ତି ।
ଏଟିଏମ ମେସିନ କ୍ଷୀରକୁ ୪ ଡିଗ୍ରୀରେ ଥଣ୍ଡା ରଖାଯାଇଥାଏ। ଏବଂ ଏହି ଏଟିଏମରୁ କ୍ଷୀର ନେବା ପାଇଁ ଗ୍ରାହକଙ୍କୁ ସ୍ୱତନ୍ତ୍ର ମିଲ୍କ ଏଟିଏମ କାର୍ଡ ଦିଆଯାଇଛି । ମେସିନର ସେନ୍ସର ସାମ୍ନାରେ ମିଲ୍କ୍ ଏଟିଏମକୁ ରଖିଲେ ମେସିନ ଅନ୍ ହେବା ସହ ଗ୍ରାହକଙ୍କ ଡାଟା ସଂଗ୍ରହ କରିଥାଏ । ଏହାପରେ ଗ୍ରାହକ ଏଟିଏମ୍ ମେସିନ ବଟମ ପ୍ରେସ୍ କଲେ ମେସିନରୁ କ୍ଷୀର ବାହାରି ଥାଏ । ମେସିନରେ ୨୫୦ଗ୍ରାମରୁ ୫ଲିଟର ଯାଏଁ କ୍ଷୀର ସଂଗ୍ରହ କରିବା ପାଇଁ ବଟମ ଉପଲବ୍ଧ ରହିଛି । ମେସିନକୁ ପ୍ରତ୍ୟେକ ଦିନ ଗରମ ପାଣିରେ ଧୂଆ ଯିବା ସହିତ ହାଇଜେନିକ୍ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଥାଏ । ଏମିତିକି ଗ୍ରାହକଙ୍କ କାର୍ଡରେ କେତେ ଟଙ୍କା ବାଲାନ୍ସ ଅଛି ତାହା ବି ମେସିନ ଗ୍ରାହକଙ୍କୁ ସୂଚାଇ ଦେଉଛି ।