ମାଣିକେଶ୍ବରୀଙ୍କ ଛତ ର ଯାତ୍ରା, ରକ୍ତ ରଞ୍ଜିତ ହେଲା ପୀଠ

(କାହ୍ନୁଚରଣ ସାହୁ): ସାରା ରାଜ୍ୟରେ ଆଜି ମା ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ଧୂମଧାମରେ ପାଳିତ ହେଉଛି । ଏହି ଅବସରରେ କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ଛତର ଯାତ୍ରା ପାଇଁ ମାଆ ମାଣିକେଶ୍ବରୀଙ୍କ ପୀଠ ରକ୍ତ ରଞ୍ଜିତ ହୋଇଛି । ୪ କିଲୋମିଟର ରାସ୍ତା ପଶୁ ଓ ପକ୍ଷୀ ର ରକ୍ତରେ ଭିଜି ଯାଇଛି । ପରମ୍ପରା ଅନୁଯାୟୀ ମାଆଙ୍କ ପୀଠରେ ହଜାର ହଜାର ପଶୁ ପକ୍ଷୀ ବଳି ଦିଆଯାଇଛି । ପ୍ରଶାସନର ବାରଣକୁ ମାନିନାହାନ୍ତି ମାନସିକଧାରୀ । ଭବାନୀପାଟଣାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଅଷ୍ଟମୀ ମଧ୍ୟ ରାତ୍ରରେ ଗୁପ୍ତ ସନ୍ଧି ପୂଜା ପରେ ନବମୀ ପ୍ରାତଃରୁ ଭବାନୀପାଟଣା ସହର ଉପକଣ୍ଠ ଜେନାଖାଲରୁ ମାଆଙ୍କ ଛତର ମୂଳ ଆସ୍ଥାନ ମାଣିକେଶ୍ବରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ । ପରଂପରା ଆନୁଯାୟୀ ଭବାନୀପାଟଣା, ଯୁଗସାଏପାଟଣା ତଥା ଥୁଆମୂଳରାମପୁର ସ୍ଥିତ ମାଆ ମାଣିକେଶ୍ବରୀଙ୍କ ପୀଠରେ ବଳି ପଡିବା ସହ ଭବାନୀପାଟଣା ଓ ଥୁଆମୂଳ ରାମପୁର ଛତର ଯାତ୍ରାରେ ଭକ୍ତ ସର୍ବଜନୀନ ବଳିପ୍ରଥା ପାଳନ କରିଛନ୍ତି । ଭବାନୀପାଟଣାଠାରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ନିଶାନ, ଢୋଲ, କିର୍ତ୍ତନର ତାଳେ ତାଳେ ମାଆ ମାଣିକେଶ୍ବରୀଙ୍କ ଛତର ଜେନାଖାଲରୁ ବାହାରି ରାଜଉଆସ ମଧ୍ୟରେ ଅବସ୍ଥିତ ମାଣିକେଶ୍ବରୀଙ୍କ ମନ୍ଦିର ଆଡକୁ ଆଗ୍ରସର ହେଉଛି । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଆଗରେ ପ୍ରସାଶନ ହାର ମାନିଛି । ଯେତେ ଚେଷ୍ଟା କଲେ ମଧ୍ୟ ପ୍ରଶାସନ ଏହି ସମୂହ ବଳି ପ୍ରଥାକୁ ରୋକି ପାରୁ ନାହିଁ ।