(ରିପୋର୍ଟସ ଟୁଡେ) : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୧୮ ଆସନ୍ତା କାଲି ଜନତା ମଇଦାନ ଠାରେ ଆରମ୍ଭ ହେବ । ଏଥିରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କନ୍କ୍ଲେଭ୍ରେ ୫୦ ବିଦେଶୀ କଂପାନି ଓ ୨୮ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ଆସନ୍ତାକାଲି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ସ୍ବାଗତ ସମାରୋହ ଅନୁଷ୍ଠିତ ହେବ । ସକାଳ ୬ଟାରେ କୋଣାର୍କରେ କୋଷ୍ଟାଲ୍ ଫନ୍ ରନ୍, ସକାଳ ସାଢ଼େ ୬ଟାରେ ଖଣ୍ଡଗିରି ଓ ଉଦୟଗିରି ଐତିହ୍ୟ ପଦଯାତ୍ରା, ପୂର୍ବାହ୍ନ ୯ଟାରେ ଗଲ୍ଫ କ୍ଲବ୍ରେ ଗଲ୍ଫ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା ଏକ୍ସପୋକୁ ଉଦ୍ଘାଟନ କରିବେ। ଉଦଘାଟନ ପରେ ଓଡ଼ିଶାର ଐତିହ୍ୟ ଓ ଆଧୁନିକ କଳାକୁ ପ୍ରଦର୍ଶନ ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ହେବ। ଏହି କାର୍ୟ୍ୟକ୍ରମର ମୁଖ୍ୟାଂଶରେ ‘ଦେଓମାଳୀ’ ନାମକ ଥିମ୍ ପାଭିଲିଅନ୍ ରହିବ। ଏହି ବୃତ୍ତାକାର ଗମ୍ବୁଜ ରାଜ୍ୟର ଫୋକସ୍ କ୍ଷେତ୍ର ଓ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀକୁ ଦର୍ଶାଇବ। ଏତଦବ୍ୟତୀତ ଏଠାରେ କାଇନେଟିକ୍ ଇନଷ୍ଟାଲେସନ ଭଳି ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ଏହା ଦର୍ଶକଙ୍କୁ ୧୦୮ ଗୋଲକର ଏକ ସୁନ୍ଦର ଏକୀକରଣର ଚମତ୍କାରିତା ଦେଖାଇବ। ଦର୍ଶକଙ୍କୁ ଭର୍ଚୁଆଲ ରିଅଲିଟି ଜରିଆରେ ଓଡ଼ିଶାର ଭବିଷ୍ୟତର ସ୍ମାର୍ଟସିଟି ଓ ପ୍ରାକୃତିକ ସୌନ୍ଦର୍ୟ୍ୟକୁ ପ୍ରଦର୍ଶନ କରାଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଜନେସ ଲିଡରସିପ ସମ୍ମିଳନୀରେ ଷ୍ଟାର ବକ୍ତାଭାବେ ଯୋଗଦେବେ ବୋଲି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି।