(ରିପୋର୍ଟସ ଟୁଡେ): ଓଡ଼଼ିଶାକୁ ଶିଳ୍ପ କ୍ଷେତ୍ରରେ ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ ଆୟୋଜିତ ହୋଇଛି । ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କନକ୍ଲେଭର ଆଜି ତୃତୀୟ ଦିନ । ଏଥିରେ ପ୍ରଥମ ପର୍ୟ୍ୟାୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ), ସ୍ୱାସ୍ଥ୍ୟସେବା ଓ ବୟନ ଶିଳ୍ପରେ ଅର୍ଥ ବିନିଯୋଗ ନେଇ ଆଲୋଚନା ହୋଇଥିଲା । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ସରକାରୀ ଓ ଘରୋଇ ଭାଗୀଦାରୀରେ ପୁଞ୍ଜି ନିବେଶ ହେବ । ଆଗାମୀ ୩ ବର୍ଷ ପାଇଁ ମିଳିଛି ୨,୭୬୦ କୋଟି ଟଙ୍କାର ପ୍ରତିଶ୍ରୁତି । ଡିଜିଟାଲ ଡିସପେନ୍ସାରୀରେ ୯୦ କୋଟି, ରୋଗ ନିରୂପଣ ଓ ଡାଏଲିସିସ୍ରେ ୭୦୦ କୋଟି । ସାରା ରାଜ୍ୟରେ ମୋଟ ୨୫ଟି ସ୍ଥାନରେ ପ୍ରତିଷ୍ଠା ହେବ ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ । ଏଥିପାଇଁ ୧୩୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ । ଏହା ସହିତ ଦୂରାରୋଗ୍ୟ କ୍ୟାନସର ଓ ହୃଦରୋଗ ପାଇଁ ବିଶେଷ ଭାବେ ୬୭୦ କୋଟି ଟଙ୍କା ଖର୍ଚ୍ଚ କରିବେ ପୁଞ୍ଜିପତି । ଝାରସୁଗୁଡ଼ାରେ କେବେଳ ହୃଦରୋଗୀଙ୍କ ୭୦ କୋଟି ଟଙ୍କାରେ ଖୋଲିବ ସ୍ୱତନ୍ତ୍ର ହସ୍ପିଟାଲ । ସେହିପରି କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ନିବେଶ ହେବ ୬୦୦ କୋଟି ଟଙ୍କା ଖର୍ଚ୍ଚି କରିବାକୁ ପୁଞ୍ଜିପତିମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ସେହିଭଳି ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଏଲ୍.ଏନ୍ ଗୁପ୍ତାଙ୍କ ସୂଚନା ମୁତାବକ ଗୁଜରାଟର ଓଡ଼ିଆ ଶିଳ୍ପପତି ଉଦୟ ଶଙ୍କର ସେଠୀ ସାମୁଦ୍ରିକ ଖାଦ୍ୟ ଶିଳ୍ପର ଉନ୍ନତି ପାଇଁ ୮୨୦ କୋଟି ଟଙ୍କା ପୁଞ୍ଜି ଖଟାଇବେ । ସେହିପରି ଏମ୍ଏସ୍ଏମ୍ କ୍ଷେତ୍ରରେ ମୋଟ ୧,୧୭୭ କୋଟି ଟଙ୍କାର ପଞ୍ଜି ବିନିଯୋଗ ପାଇଁ ପ୍ରତିଶ୍ରୁତି ମିଳିଛି । ଅଣୁ ଶିଳ୍ପୋଦ୍ୟୋଗ କ୍ଷେତ୍ରରେ ରାଜ୍ୟ ସରକାର ସବ୍ସିଡି ଯୋଗାଇଦେବେ । କେନ୍ଦ୍ରର ୮୦ % ସବ୍ସିଡି ପରେ ବଳକା ୨୦% ରାଶି ଉପରେ ମିଳିବ ୮୦ ପ୍ରତିଶତ ରହାତି ମିଳିବ । ଅନ୍ୟପକ୍ଷରେ ବୟନଶିଳ୍ପ କ୍ଷେତ୍ରରେ ରାଜ୍ୟ ୬,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ କହିଛନ୍ତି । ଏଥିପାଇଁ ରାଜ୍ୟରେ ସାହି ଏକ୍ସପୋର୍ଟ କମ୍ପାନୀ ୫୧ କୋଟି ଓ ୱାଇଲ୍ଡ ଲୋଟସ୍ ଫେସନ୍ ୨୦ କୋଟି ଖର୍ଚ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।