କୋଲକାତା ମଣ୍ଡପ ଟ୍ରାଜେଡି: ୧୨ ଅଟକ

କୋଲକାତା ଚୋରବାଗାନ ଦୁର୍ଗା ପୂଜାମଣ୍ଡପ ଦଳାଚକଟା ଘଟଣାରେ ୧୨ଜଣକୁ ଅଟକ ରଖିଛି ପୋଲିସ। ୧୦ ଜଣ ପୂଜା ଆୟୋଜକ ଓ ଭଲ୍ୟୁଣ୍ଟରଙ୍କ ସମେତ ୧୨ ଜଣ ଅଟକ ଅଛନ୍ତି। ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କୋଲକାତା ପୋଲିସ। ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତିର ସମସ୍ତ ପଦାଧିକାରୀ ଇସ୍ତଫା ଦେଇଛନ୍ତି। ମହାସଚିବଙ୍କ ସମେତ କାର୍ୟ୍ୟକାରିଣୀର ସମସ୍ତ ପଦାଧିକାରୀଙ୍କ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୩ ମହିଳା ଓ ଜଣେ ଶିଶୁ ରହିଛନ୍ତି। ଦଳାଚକଟାରେ ୪୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସପ୍ତମୀ ସନ୍ଧ୍ୟାରେ ପ୍ରବଳ ଭିଡ଼ ଯୋଗୁଁ ଏ ଅଘଟଣ ଘଟିଥିଲା। ଆହତ ଶ୍ରଦ୍ଧାଳୁମାନଙ୍କୁ କୋଲକାତାର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଘଟଣ ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।