ମଝି ଆକାଶରେ ହାଇଜାକ ଆଲର୍ଟ, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଜର୍ମାନୀର ଫ୍ରାଙ୍କଫୁର୍ଟରୁ ଏୟାର ଇଣ୍ଡିଆ ବିମାନ ଭାରତର ଦିଲ୍ଲୀକୁ ଆସୁଥିଲା। କିନ୍ତୁ ହଠାତ୍‌ ବିମାନର ପାଇଲଟ୍‌ ହାଇଜାକ ଆଶଙ୍କା କରି ଜାରି କରିଥିଲେ ଆଲର୍ଟ। ହାଇଜାକ ଆଲର୍ଟ ପରେ ଦେଖା ଯାଇଥିଲା ହଇଚଇ। ଆଉ ଦିଲ୍ଲୀ ବଦଳରେ ଏୟାର ଇଣ୍ଡିଆ ବିମାନ ଜୟପୁରରେ କରିଛି ଜରୁରୀ ଅବତରଣ। ଏବେ ଘଟଣାର ସୁରକ୍ଷା ଯାଞ୍ଚ କରାଯିବା ସହ ବିମାନବନ୍ଦରରେ ଜାରି ହୋଇଛି ହାଇଆଲର୍ଟ।

ଏୟାର ଇଣ୍ଡିଆର ଏଆଇ -୨୦୩୦ ବିମାନ ଜର୍ମାନୀର ଫ୍ରାଙ୍କଫୁର୍ଟରୁ ଲୋକଙ୍କ ଧରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ପ୍ରାୟ ସକାଳ ୯ଟା ବେଳେ ବିମାନଟି ମଝି ଆକାଶରେ ଥିବା ବେଳେ ଅହମଦାବାଦ ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି) ପାଖକୁ ଆସିଥିଲା ଏମର୍ଜେନ୍ସି ସିଗ୍ନାଲ।

ଏୟାର ଇଣ୍ଡିଆ ବିମାନର ପାଇଲଟ୍‌ ହାଇଜାକ ସିଗ୍ନାଲ ଦେଇଥିବାରୁ ହଇଚଇ ସୃଷ୍ଟି ହୋଇଥିଲା। ସୁରକ୍ଷା ଏଜେନ୍ସିକୁ ଖବର ଦିଆଯାଇଥିଲା। ସକାଳ ପ୍ରାୟ ୯.୧୦ରେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ଏୟାରପୋର୍ଟର ୱାର ରୁମ ବିମାନକୁ ଜୟପୁରକୁ ଡାଇଭର୍ଟ କରିବାକୁ ଦେଇଥିଲା ନିର୍ଦ୍ଦେଶ।

ଏହି ନିର୍ଦ୍ଦେଶ ପରେ ବିମାନଟି ଜୟପୁର ଅଭିମୁଖେ ଯାଇଥିଲା। ୯.୩୫ରେ ଏହା ଜୟପୁର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅବତରଣ କରିଥିଲା। ଅବତରଣ କରିବା ମାତ୍ରେ ଯାଞ୍ଚ ପାଇଁ ଏହାକୁ ୯.୪୫ରେ ଗୋଟିଏ ଏକାନ୍ତ ସ୍ଥାନକୁ ନିଆଯାଇଥିଲା। ଅଧିକୃତ ଏଜେନ୍ସି ବିମାନକୁ ଭଲ ଭାବେ ଯାଞ୍ଚ କରିଛନ୍ତି। କେଉଁ ପରିସ୍ଥିତିରେ ପାଇଲଟ୍‌ ସ୍କ୍ୱାକ ୭୫୦୦ କୋଡ ଦବାଇଥିଲେ, ତା’ର ଖୋଳତାଡ଼ କରାଯାଉଛି।