ବିନିକା : ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ । ଏହି ଅଘଟଣରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡାହୁକବୁଡ଼ ଗାଁରେ କାନ୍ଥ ଭୁଶୁଡ଼ି ପଡ଼ିଥିବା ଘଟଣା ଘଟିଛି । ଘର ଭିତରୁ ଦମ୍ପତିଙ୍କ ସହ ୩ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏବେ ସମସ୍ତ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗୁରୁତରମାନେ ହେଲେ ସୁଶୀଲ ପଧାନ ଓ ତାଙ୍କ ସ୍ତ୍ରୀ ବାସ୍ତୁରି ପଧାନ, ଝିଅ ରିତିକା ପଧାନ, ପୁଅ କ୍ରିସ୍ ପଧାନ ଓ ଦେଢ଼ ବର୍ଷିୟ ପୁଅ ଅର୍ଣ୍ଣବ ପଧାନ । ସୁଶୀଲ ପଧାନଙ୍କର ଦୁଇ ବଖରା ମାଟି ଘର ଥିବା ବେଳେ ମୁଲମଜୁରୀ ଲାଗି ପରିବାର ପେଟ ପୋଷନ୍ତି। ଗତ ରାତିରେ ସୁଶୀଲଙ୍କ ପରିବାର ସଦସ୍ୟ ଖାଇପିଇ ଶୋଇଥିଲେ। ମାତ୍ର ବିଳମ୍ବିତ ରାତିରେ ଲଗାଣ ବର୍ଷା ହେତୁ ଘର ଭୁଶୁଡ଼ି ପଡ଼ିଥିଲା। ଆଉ ତା’ ତଳେ ସମସ୍ତ ପରିବାର ସଦସ୍ୟ ଚାପି ହୋଇ ଯାଇଥିଲେ।
ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ସମସ୍ତଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।