(ଶୁଭସ୍ମିତା ଦାଶ): ପ୍ରସିଦ୍ଧ ଗିର୍ ଅଭୟାରଣ୍ୟରେ ୨୩ ସିଂହଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ଫଳରେ ଅଭୟାରଣ୍ୟରେ ସିଂହ ମଡ଼କ ଦେଖାଦେଇଛି । ତେଣୁ କରି ଗୁଜରାଟ ଜଙ୍ଗଲ ଓ ବଣ୍ୟଯନ୍ତୁ ସଂରକ୍ଷଣ ବିଭାଗ ପକ୍ଷରୁ ଏହାର ପ୍ରତିକାର ବିଧାନ ଆରମ୍ଭ ହୋଇଛି। ରବିବାର ବିଭାଗ ପକ୍ଷରୁ ସିଂହଙ୍କୁ ଟିକାକରଣ କରାଯାଇଛି। ‘କ୍ୟାନିନ୍ ଡିସ୍ଟେିମ୍ପର ଭାଇରସ୍’ ବା ସିଡିଭି ଭୂତାଣୁ ଏବଂ ପ୍ରୋଟୋଜୋଆ ସଂକ୍ରମଣ ଯୋଗୁଁ ସିଂହମଡ଼କ ସୃଷ୍ଟି ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହେବା ପରେ ‘ଇଣ୍ଟେନସିଭ୍ ଭେଟେରିନାରି କେୟାର’ ବା ଆଇଭିସି ବ୍ୟବସ୍ଥାରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ସିଂହ ସ୍ୱାସ୍ଥ୍ୟ ବିଶେଷଜ୍ଞ ସାମିଲ ହୋଇଥିବା କହିଛନ୍ତି ଜୁନାଗଡ଼ ଜିଲା ଜଙ୍ଗଲ ଡିଭିଜନ ମୁଖ୍ୟ । ଆମେରିକାରୁ ୩୦୦ ଟିକା ଅଣାଯାଇଛି ଓ ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି। ଗିର୍ ଅଭୟାରଣ୍ୟରେ ମୃତ୍ୟୁମୁଖରେ ପଡ଼ିଥିବା ୨୩ ମଧ୍ୟରୁ ୧୧ ସିଂହଙ୍କ ମୃତ୍ୟୁର କାରଣ ଏହି ଭୂତାଣୁ ବୋଲି ସ୍ପଷ୍ଟ ହୋଇଛି। ଏହି ୧୧ମଧ୍ୟରୁ ୪ଟି ଶରୀରରେ ସିଡିଭି ଓ ୭ଟି ଶରୀରରେ ପ୍ରୋଟୋଜୋଆ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଥିଲା। ଗିର୍ରେଧ ସିଂହମଡ଼କ ଦେଖାଦେବା ପରେ ଜଙ୍ଗଲ ବିଭାଗ ୩୬ ସିଂହଙ୍କୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଧରିନେଇ ଯଶଧର ଓ ଜାମ୍ୱା୍ଲା ଲାଳନପାଳନ କେନ୍ଦ୍ରରେ ରଖିଛି। ସେମାନଙ୍କ ମଧ୍ୟରୁ ତିନିଟି ସିଂହର ଅବସ୍ଥା ଭଲ ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ଗିର୍ ଅଭୟାରଣ୍ୟରେ ୨୦୧୫ ଗଣନା ଅନୁଯାୟୀ ଏହି ଏସୀୟ ସିଂହଙ୍କ ସଂଖ୍ୟା ୫୨୩ ରହିଥିଲା।