ଖୁବ୍ ଶୀଘ୍ର ନନ୍ଦନକାନନରେ ସାମିଲ ହେବ ଜଙ୍ଗଲୀ ପ୍ରଜାତିର ବାଘ

(ରିପୋର୍ଟସ ଟୁଡ଼େ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁବ୍ଶୀଘ୍ର ସଂପୂର୍ଣ୍ଣ ଜଙ୍ଗଲୀ ପ୍ରଜାତିର ବାଘ ଜନ୍ମ ନେବାକୁ ଯାଉଛି । ଜଙ୍ଗଲୀ ମହାବଳ ନନ୍ଦନ(୧୦) ସହ ଜଙ୍ଗଲୀ ବାଘୂଣୀ ସାରା (୧୩)ର ସଫଳ ମିଳନ ଯୋଗୁଁ ଏହି ଯୋଜନା ସାକ।।ର ରୁପ ନେବାକୁ ଯାଉଛି । ବିଶେଷଜ୍ଞଙ୍କ ମତ ଅନୁସାରେ, ଆସନ୍ତା ଡିସେମ୍ବର ୯ ମଧ୍ୟରେ ‘ସାରା’ ପ୍ରସବ କରିପାରେ। ଏବେ ତା’ ଗର୍ଭ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷେ ପ୍ରସବ ସଫଳ କରାଇବା ଲାଗି ନନ୍ଦନକାନନର ପ୍ରାଣୀ ଚିକିତ୍ସା ବିଭାଗ, ଜନ୍ତୁ ରକ୍ଷକ ଓ କର୍ମଚାରୀମାନେ ତା’ର ସ୍ୱତନ୍ତ୍ର ଯତ୍ନ ନେଉଛନ୍ତି। ତା’ ଖାଦ୍ୟପେୟ, ଚଳଣି ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ନନ୍ଦନକାନନରେ ପ୍ରଥମ କରି ସଂପୂର୍ଣ୍ଣ ଜଙ୍ଗଲୀ ପ୍ରଜାତି ବାଘଛୁଆ ପ୍ରସବ ଅପେକ୍ଷାରେ ନନ୍ଦନକାନନ କର୍ତ୍ତୃପକ୍ଷ ରହିଛନ୍ତି। ଗତ ଅଗଷ୍ଟ ୨୫ ତାରିଖରେ ୩୧ ‘ଗ’ ଖୁଆଡ଼ ମଧ୍ୟରେ ଉଭୟଙ୍କୁ ଏକାଠି ରଖି ମିଳନର ସୁଯୋଗ ଦିଆଯାଇଥିଲା। ୨୭ ତାରିଖ ପର୍ୟ୍ୟନ୍ତ ତିନିଦିନ ଧରି ସେମାନଙ୍କ ସଫଳ ମିଳନ କରାଯାଇଥିଲା। ପରେ ନନ୍ଦନକୁ ସାରାଠାରୁ ଅଲଗା ଆଣି ରଖାଯାଇଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତ, ବାଘୁଣୀମାନେ ସାଧାରଣତଃ ଗର୍ଭଧାରଣର ୧୦୫ଦିନ ମଧ୍ୟରେ ପ୍ରସବ କରିଥାଆନ୍ତି। ତେଣୁ ଆସନ୍ତା ଡିସେମ୍ବର ୯ ତାରିଖ ମଧ୍ୟରେ ଶୁଭ ଖବର ମିଳିପାରେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଆଶାବାଦୀ ରହିଛନ୍ତି।