ଅବକାରୀ ବିଭାଗର ଚଢାଉ, ୧୩୬ ଲିଟର ଦେଶୀ ମଦ ଜବତ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ଲୌହ ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ସୂଚନା ଅନୁଯାୟୀ, ବାଦାମ ପାହାଡ ଲୌହ ଖଣି ଅଞ୍ଚଳ ଅନ୍ତର୍ଗତ କାଶୀଆବେଡା ଓ ଅଙ୍ଗାରପଦାରେ ଦେଶୀ ମଦ ରନ୍ଧା ଯାଇ ଚାଲାଣ ହେଉଥିବା ବିଷୟରେ ରାଇରଙ୍ଗପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ଅବକାରୀ ଇନ୍ସପେକ୍ଟର ହରିହର ସିଂଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଭାବେ ଚଢାଉ କରିଥିଲା । ତେବେ କାଶୀଆବେଡାରେ ଚଢାଉ ବେଳେ ୨୬ ଲିଟର ବିଦେଶୀ ମଦ ଜବତ କରାଯିବା ସହ ୧୪୦୦ କେଜି ମହୁଲ ଓ ରନ୍ଧା ସାମଗ୍ରୀକୁ ଅବକାରୀ ବିଭାଗ କର୍ମଚାରୀମାନେ ନଷ୍ଟ କରିଥିଲେ । ସେହିଭଳି ଅଙ୍ଗାରପଦା ଗାଁ ଘଞ୍ଚ ଜଙ୍ଗଲରେ ଚଢାଉ କରି ୧୧୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୫୪୦ କେଜି ମହୁଲ ପୋଚ ଓ ରୋଷେଇ ସାମଗ୍ରୀ ନଷ୍ଟ କରିଦିଆଯାଇଛି । ଏହି ଚଢାଉ ବେଳେ ଅବକାରୀ ବିଭାଗର କର୍ମଚାରୀ ଶଚିପଦ ମହାନ୍ତ, ବୁଦ୍ଧଦେବ ମହାନ୍ତ, ତ୍ରିବେଣୀ ମହାନ୍ତ, କ୍ରିଷ୍ଣା ବିନ୍ଧାଣି, ସୁମନ ମହାନ୍ତ, ଚୁଡ଼ାମଣି ସିଂ ପ୍ରମୁଖ ସାମିଲ ହୋଇଥିଲେ ।