ଆସନ୍ତା ୫ ତାରିଖରେ ରାଜ୍ୟର ସମସ୍ତ ଏମ୍ଫ୍ଲୟମେଂଟ ଏକ୍ସଚେଞ୍ଜ ଅଫିସରେ ପଡ଼ିବ ତାଲା

(ରିପୋର୍ଟସ ଟୁଡ଼େ): ରାଜ୍ୟ ସରକାରଙ୍କ ବିଭିନ୍ନ ଜିଳ୍ଲା ମୁଖ୍ୟାଳୟରେ ଥିବା ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ଅଫିସ ଗୁଡ଼ିକ ସରକାରୀ ବା ବେସରକାରୀ କୌଣସି ବି ସ୍ଥାନରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରକିୟାରେ ସହାୟତା ଦେବାପାଇଁ କୌଣସି ଭୂମିକା ନଥିବା ବେଳେ ଏହି ଅଫିସ ଗୁଡ଼ିକ କାହିଁକି ଖୋଲା ରହିବ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଆସନ୍ତା ୫ ତାରିଖରେ ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ରେ ତାଲା ପକା ଅଭିଯାନ କରାଯିବ ବୋଲି ଘୋଷଣା କରିଛନ୍ତି । ।
ଶ୍ରୀ ତ୍ରିପାଠୀ କହିଛନ୍ତି ସାରା ରାଜ୍ୟରେ ଆଜି ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ନବୀନ ପଟ୍ଟନାୟକଙ୍କ ୧୯ ବର୍ଷ ଶାସନରେ ଯଦି କେହି ବେଶି ପ୍ରତାରିତ ହୋଇଛି ସେ ହେଉଛନ୍ତି ଓଡିଆ ଯୁବକ ଯୁବତୀ ମାନେ । ୨୦୦୦ ମସିହାରେ ଯେଉଁ ଯୁବକ ଯୁବତୀ ଭୋଟର ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଅବସ୍ଥାପତି କରିଥିଲେ ସେ ଯୁବକ ଯୁବତୀଙ୍କ ବୟଷ ଏବେ ୩୭ ବର୍ଷ । ସେହିପରି ୨୦୦୪ରେ ଭୋଟ ଦେଇଥିବା ଭୋଟରର ବୟସ ଏବେ ୩୩ ବର୍ଷ ହେଲାଣି । ତେବେ ୨୦୦୦ ମସିହାରେ ଯୁବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏବେ ପ୍ରତାରଣାରେ ପରିଣତ ହୋଇଛି ।
ଶ୍ରୀ ତ୍ରପାଠୀ କହିଛନ୍ତି ଯେ, ରାଜ୍ୟରେ ବେକାରୀ ସମସ୍ୟା ଭୟଙ୍କର ରୂପ ନେଇଛି । ୨୦୧୬ରେ ପ୍ରକାଶିତ ଓଡିଶା ଇକୋନୋମିକ ସର୍ଭେର ତଥ୍ୟ ଅନୁସାରେ ୨୦୧୪ରେ ୨.୨୮ଲକ୍ଷ୍ୟ ଚାକିରୀ ଆଶାରେ ଆବେଦନ କରିଥିବା ବେଳେ ମାତ୍ର ୧୧୪୪ ଜଣ ଏହିବିଭାଗ ଦ୍ୱାରା ଚାକିରୀ ପାଇଛନ୍ତି । ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ରାଜ୍ୟରେ ସୃଷ୍ଟି ହୋଇଥିବା ନିଯୁକ୍ତି ସମ୍ଭାବନା ଫସର ଫାଟି ଯାଇଛି । ୨୦୦୦ ରୁ ୨୦୧୫ ମଧ୍ୟରେ ରାଜ୍ୟ ସରକାର କରିଥିବା ୯୨ଟି ଏମଓୟୁ ମଧ୍ୟରୁ ମାତ୍ର ୪୬ଟି କାର୍ୟ୍ୟକ୍ଷମ ହୋଇପାରିଥିବା ବେଳେ ଆଉ ୪୬ଟି ଆରମ୍ଭ ହୋଇ ପାରି ନାହିଁ । ସବୁ ବଡ ବଡ ଏମଓୟୁ ମୋଟା ମୋଟି ଭାବେ କାର୍ୟ୍ୟକାରୀ ହେବାରେ ବିଫଳ ହୋଇଛି । ଯେଉଁଥି ପାଇଁ ରାଜ୍ୟରେ ବୈଷୟିକ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିଫଳ ହୋଇଛି ।