ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢୁଛି, ତାପମାତ୍ରା 40ରୁ 45 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଉଛି । ଆଉ ଏହି ଅସହ୍ୟ ଗରମ-ଗୁଳିଗୁଳିରୁ ଆଶ୍ୱସ୍ତି ଦେଇଥାଏ ଏସି । ଅନେକ ଲୋକ ନିଜ ଘରେ ଏସି ବ୍ୟବସ୍ଥା କରିଥାନ୍ତି । ହେଲେ ଜଣେ ସାଧାରଣ ଗରିବ ଶ୍ରେଣୀର ଲୋକ ପକ୍ଷରେ AC ଲଗାଇବା ସହିତ ବିଦ୍ୟୁତ ବିଲ୍ ର ଭାର ବହନ କରିବା କଷ୍ଟକର ହୋଇପଡେ । ଏପରି ସମସ୍ୟାର ସମାଧାନ ପାଇଁ ସମ୍ବଲପୁର ଜିଲ୍ଲା ସ୍ଥିତ ଭିସୁଟ୍ ମହାବିଦ୍ୟାଳୟର ମେକାନିକାଲ ବିଭାଗର ଛାତ୍ରମାନେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଛାତ୍ର ଦଳ ଏକ “ଲୋ-କଷ୍ଟ-କୁଲିଂ ଡିଭାଇସ୍” ବିକଶିତ କରିପାରିଛନ୍ତି, ଯାହା AC ଭଳି କୋଠରୀର ତାପମାତ୍ରାକୁ ନିୟନ୍ତ୍ରଣ କରିବ ଏବଂ ଦାମ୍ ମଧ୍ୟ ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପକେଟକୁ ସୁହାଇବ । ବୁର୍ଲା ଭିସୁଟ ମହାବିଦ୍ୟାଳୟର ମେକାନିକାଲ ବିଭାଗ ଅଧ୍ୟାପକ ଡ. ପାଣ୍ଡବ କୁମାର ପାତ୍ର ଏହି ଡିଭାଇସ ନିର୍ମାଣ କରିବାରେ ଛାତ୍ର ମାନଙ୍କ ନେତୃତ୍ୱ ନେବା ସହ ମାର୍ଗଦର୍ଶନ କରିଛନ୍ତି, ସେ କହିଛନ୍ତି ଭୀଷଣ ଗରମରୁ ବଞ୍ଚିବା ପାଇଁ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିମାନେ ଏସି ଅଥବା କୁଲର୍ ବ୍ୟବହାର କରନ୍ତି । ହେଲେ ଗରିବ ଶ୍ରେଣୀର ଲୋକ ଗରମର ଦାଉରେ ଛଟପଟ ହୁଅନ୍ତି । ଏହି ଶ୍ରେଣୀର ଲୋକଙ୍କୁ କମ୍ ଦାମ୍ରେ ଏସି ଭଳି ଯନ୍ତ୍ର ଯୋଗାଇଦେବା ବୁର୍ଲା ଭିସୁଟ ମେକାନିକାଲ ବିଭାଗର ଏହା ଏକ ଉଦ୍ୟମ ଅଟେ । ଯାହା ଖରା ଦିନେ ଗୋଟିଏ ବଡ଼ କୋଠରୀର ତାପମାତ୍ରାକୁ 10 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ କରି ପାରୁଛି ।