ରାଘବ ଚଡ୍ଡାଙ୍କ ଭୋଟର ତାଲିକା ନାମକୁ ନେଇ ବିବାଦ : ଆପ୍ ର ଅଭିଯୋଗକୁ ଖଣ୍ଡନ କଲେ ଦିଲ୍ଲୀ ସିଇଓ

ଦିଲ୍ଲୀର ଭୋଟର ତାଲିକାରେ ବିଜେପି ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାମ ନିୟମ ଉଲ୍ଲଂଘନ କରି ଯୋଡ଼ାଯାଇଥିବା ନେଇ ଆମ୍ ଆଦ୍ମୀ ପାର୍ଟି କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ଦ୍ଧାରିତ ନିୟମ ଅନୁଯାୟୀ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯାଇ ଚଡ୍ଡାଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ।

ରାଘବ ଚଡ୍ଡା ପୂର୍ବରୁ ପଞ୍ଜାବର ମୋହାଲିରେ ଭୋଟର ଭାବେ ପଞ୍ଜୀକୃତ ଥିଲେ। ପଞ୍ଜାବର ଚିଠା ଭୋଟର ତାଲିକାରେ ତାଙ୍କ ନାମ ସ୍ଥାନାନ୍ତରିତ ହୋଇଥିବା ଦର୍ଶାଯିବା ପରେ ସେ ଆମ୍ ଆଦ୍ମୀ ପାର୍ଟି ସରକାରଙ୍କ ବିରୋଧରେ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଆଣିଥିଲେ।

ଏହାରି ମଧ୍ୟରେ ଦିଲ୍ଲୀର ରାଜେନ୍ଦ୍ର ନଗର ଭୋଟର ତାଲିକାରେ ରାଘବ ଚଡ୍ଡାଙ୍କ ନାମ ପ୍ରକାଶ ପାଇବା ପରେ ଆପ୍ ନେତା ସୌରଭ ଭାରଦ୍ୱାଜ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ନିୟମ ଅନୁଯାୟୀ ଏହା ଗ୍ରହଣଯୋଗ୍ୟ ନୁହେଁ ଏବଂ ବେଆଇନ୍ ବୋଲି ସେ ଅଭିଯୋଗ କରିଥିଲେ। ଦିଲ୍ଲୀ ଓ ପଞ୍ଜାବରେ ଏକାସାଙ୍ଗରେ ବିଶେଷ ସଂଶୋଧନ ପ୍ରକ୍ରିୟା ଚାଲିଥିବା ବେଳେ ଚଡ୍ଡାଙ୍କ ନାମ କିପରି ଦିଲ୍ଲୀ ଭୋଟର ତାଲିକାରେ ସାମିଲ ହେଲା, ସେନେଇ ସେ ପ୍ରଶ୍ନ କରିଥିଲେ।

ବିବାଦ ମଧ୍ୟରେ ଦିଲ୍ଲୀର ସିଇଓ ଅଶୋକ କୁମାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ‘ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦’ ଏବଂ ‘ଭୋଟର ପଞ୍ଜୀକରଣ ନିୟମ, ୧୯୬୦’ ଅନୁଯାୟୀ ଭୋଟର ତାଲିକାରେ ନାମ ଯୋଡ଼ିବା, ବାଦ ଦେବା କିମ୍ବା ସଂଶୋଧନ କରିବା ପାଇଁ ଫର୍ମ-୬, ୭ ଓ ୮ ବ୍ୟବହାର କରାଯାଏ। ଏହି ଫର୍ମଗୁଡ଼ିକ ନାଗରିକମାନେ ବର୍ଷର ଯେକୌଣସି ସମୟରେ ଦାଖଲ କରିପାରିବେ।

ଅନ୍ୟପଟେ, ରାଘବ ଚଡ୍ଡା ମଧ୍ୟ ନିଜ ପ୍ରତିକ୍ରିୟାରେ ସେ ନିର୍ବାଚନ କମିଶନଙ୍କ ସମସ୍ତ ନିୟମାବଳୀ ପାଳନ କରିଥିବା କହିଛନ୍ତି। ଆପ୍ ନିଜର ଦଳୀୟ ସଦସ୍ୟ ପଞ୍ଜୀକରଣ ଏବଂ ନିର୍ବାଚନ କମିଶନଙ୍କ ଭୋଟର ତାଲିକା ମଧ୍ୟରେ ଥିବା ପାର୍ଥକ୍ୟ ବୁଝିପାରୁନାହିଁ ବୋଲି ସେ କଟାକ୍ଷ କରିଛନ୍ତି।