(ଶୁଭସ୍ମିତା ଦାଶ): ପରିବେଶକୁ ସ୍ୱଚ୍ଛ ଓ ବାତାବରଣକୁ ନିର୍ମଳ କରିବା ଉଦ୍ଦେଶ୍ୟରେ ପଲଥିନ୍ ବ୍ୟାନ କରାଯାଇଥିଲା । ସାଧାରଣତଃ ପଲିଥିନ୍ ମାଟିରେ ମିଶି ନଥାଏ । ଅଧିକ ଦିନ ଧରି ମାଟିରେ ପଡ଼ି ରହିଥାଏ । ଯାହା ଫଳରେ ବର୍ଷା ପାଣି ପଡ଼ିଲେ ଗ୍ୟାସ ବାହାରି ପରିବେଶକୁ ଦୂଷିତ କରିଥାଏ । ତେଣୁ କରି ଓଡ଼ିଶାକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ପାଇଁ ସାରା ରାଜ୍ୟରେ ଚାଲିଛି ଭିନ୍ନ ଭିନ୍ନ ପ୍ରୟାସ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମ ପର୍ୟ୍ୟାୟରେ ପୁରୀ ଓ ୫ ମୁନ୍ୟସିପାଲଟି ଅଂଚଳରେ ପଲିଥିନ ବ୍ୟାନ ହେବ । ଅକ୍ଟୋବର ୨ରୁ ଏହା କଡାକଡି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ହେଲେ ଏହି କଟକଣା ଠିକ୍ ଭାବେ କାର୍ଯ୍ୟ କରୁ ନାହିଁ। ଏବେକି ବଜାରରେ ପଲିଥିନ୍ ବ୍ୟବହାର କରାଯାଉଛି । ଦୋକାନୀ ମାନେ ପଲିଥିନ୍ ରେ ଗ୍ରାହକଙ୍କୁ ଜିନିଷ ଦେଉଛନ୍ତି । ତେଣୁ କରି ଏହି ନିୟମ୍ କୁ ସଠିକ୍ ଭାବେ ପାଳନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବିଏମସି ପକ୍ଷରୁ ପଲିଥିନ୍ ଓ ପ୍ଲାଷ୍ଟିକକୁ ବ୍ୟବହାର ନ କରିବା ପାଇଁ ପ୍ରଚାର ପ୍ରସାର କରାଯାଉଛି । ୨୦୧୯ ସ୍ୱଚ୍ଛ ସର୍ଭେକ୍ଷଣକୁ ଦୃଷ୍ଟିରେ ରଖି ପ୍ଳାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ସେଥିପାଇଁ ବିଭିନ୍ନ ଏଫଏମ୍ ଓ ଫିଲ୍ମ ହଲରେ ପଲିଥିନ୍ ମୁକ୍ତ କରିବା ପାଇଁ ପ୍ରଚାର ପ୍ରସାର କରାଯାଉଛି ।
ଗତ ଗାନ୍ଧୀ ଜୟନ୍ତୀ ଠାରୁ ଓଡ଼ିଶାକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନିୟମ ଲାଗୁ କରିଥିଲେ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୌଣସି ବ୍ୟବସାୟୀ ପଲିଥିନ୍ ବ୍ୟବହାର କରି ପାରିବେ ନାହିଁ । ପରିବହନ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇ ପାରିବ ନାହିଁ । ଏହାସହିତ ୨୦୦ ମିଲିଲିଟରର ପାଣିବୋତଲ, ଥର୍ମୋକୁଲ ଥାଳି, ଗିନା, ଚାମଚ ଏବଂ ପ୍ଲାଷ୍ଟିକ୍ କଣ୍ଟେନର ଆଦି ବ୍ୟବହାର କରାଯିବ ନାହିଁ । କାରଣ ଏହାଦ୍ୱାରା ପରିବେଶ ସନ୍ତୁଳନ ଠିକ୍ ରହିବ ଓ ମଣିଷର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ ବୋଲି ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।