( ସୁରେଶ କୁମାର ସାମନ୍ତରାୟ): ବୋଲଗଡ ବ୍ଲକ ଗଡିଆପଲ୍ଲୀ ପଂଚାୟତ ଅନ୍ତର୍ଗତ ସାଲତରାସ୍ଥିତ ଗୁରୁକୁଳ ଶିକ୍ଷାନିକେତନ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ପୁଣ୍ୟ ଜନ୍ମତିଥି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ।ଏହି ଉପଲକ୍ଷେ ସକାଳ ୭ଟାରେ ଆୟୋଜିତ ଏକତା ପାଇଁ ଗଣ ଦୌଡ କାର୍ଯ୍ୟକ୍ରମରେ ଅଂଚଳର ବହୁ ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ଅଂଶଗ୍ରହଣ କରିଥିଲେ ପରେ ଏକ ସଚେତନତା ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ହାତରେ ବିଭିନ୍ନ ପ୍ଳାକାର୍ଡ ଧରି ଦେଶାତ୍ମକବୋଧ ସ୍ଳୋଗାନ ଦେବା ସହ ଗ୍ରାମ ପରିକ୍ରମା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନ ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯିବା ସହିତ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ୱର୍ଗତଃ ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଦିବଗତଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିବା ପରେ ମୁଖ୍ୟବକ୍ତା ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱରଚିତ ରାଷ୍ଟ୍ରୀୟ ଏକତା ସଚେତନତା ସଙ୍ଗୀତ ଗାନ କରିଥିଲେ । ଆୟୋଜିତ ସଭାରେ ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି ମୁଖ୍ୟଅତିଥି ଓ କୃଷି ବିଜ୍ଞାନୀ କାହ୍ନୁଚରଣ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।