(ଚିତରଞ୍ଜନ ସାହୁ):ବରଗଡ଼ ସହରରେ ଆଜି ଅପ୍ରରାହ୍ନରେ ଜିରା ନଦୀ ପୋଲ ଊପରେ ଏକ ଯାତ୍ରୀବାହୀ ବସ ଯାଉଥିବା ସମୟରେ ବ୍ରଜପାତ ହୋଇଥିଲା । ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ ର ହେଲପରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲରମ୍ଭାର ଶାନ୍ତନୁ ଠାକର(୨୨) ।
ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ଯୋଗୁଁ ବ୍ରଜପାତ ହୋଇଥିଲା । ବସଟି ଜିରା ନଦୀ ପୋଲ ଉପରେ ଯାଉଥିବା ବେଳେ ବର୍ଷା ହୋଇଥିଲା । ଏଣୁ ଡ଼୍ରାଇଭର ଗାଡ଼ିକୁ ଠିଆ କରିଦେଇଥିଲେ । ହେଲପର ଜଣକ ବସ୍ ଛାତ ଉପରେ ଥିବା ଲୋକଙ୍କ ଜିନିଷ ପତ୍ର ଉପରେ ପଲିଥିନ୍ ଘୋଡ଼ାଇବା ପାଇଁ ଉପରକୁ ଯାଇଥିଲେ । ସେହି ସମୟରେ ଅଚାନକ ବ୍ରଜପାତ ହୋଇଥିଲା । ଏହି ବ୍ରଜପାତ ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଚକ୍ ଲିକ୍ ହୋଇଯାଇଥିଲା । ଫଲରେ ଶାନ୍ତନୁ ବସ୍ ଛାତ ଉପରେ ଟଳି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ି ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ବସ୍ ଛାତ ଉପରୁ ମୃତଦେହକୁ ଉଦ୍ଧାର କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।