ବୋଲଗଡ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

( ସୁରେଶ କୁମାର ସାମନ୍ତରାୟ): ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ବ୍ଲକ ଅଂଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି । ତେଣୁ ଡାକ୍ତରଖାନା ଥାଇ ଡାକ୍ତର ନଥିଲେ ରୋଗୀ ସେବା କିପରି ହେବ ସେଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରତ୍ୱ ଦିଆଯାଉନାହିଁ । ବିଭିନ୍ନ ସମୟରେ ଅଂଚଳବାସୀ ଖାଲି ପଡିଥିବା ଡାକ୍ତର ପଦବୀ ଗୁଡିକୁ ପୁରଣ କରାଯିବାକୁ ଦାବୀ କରୁଥିଲେ ମଧ୍ୟ ତାହା ବିଭାଗ ପକ୍ଷରୁ ପୂରଣ କରାଯାଉନାହିଁ । ଫଳରେ ଦିନକୁ ଦିନ ଏହି ବ୍ଲକ ଅଂଚଳରେ ରୋଗୀ ସେବା ବାଧାପ୍ରାପ୍ତ ହେବା ସହିତ ଗରିବ ଲୋକେ ଚିକିତ୍ସା ହେବା ପାଇଁ ଦୁରଦୁରାନ୍ତକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ବ୍ଲକ ଅଂଚଳର ବାଙ୍କୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଏକ ମାତ୍ର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ କିଛିଦିନ ପରେ ଅନ୍ୟତ୍ର ବଦଳି କରାଯାଇଛି । ସେଠାରେ ଜଣେ ଆୟୁସ ଡାକ୍ତର କାମ ଚଳାଉଛନ୍ତି । ଅନ୍ୟ ୫ଟି ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଛି । ସେହିପରି ୪ଜଣ ସେବିକାଙ୍କ ସ୍ଥାନରେ ୨ଜଣ କାମ ଚଳାଉଛନ୍ତି । ବୋଲଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୬ଜଣ ପରିବର୍ତେ ଜଣେ ମାତ୍ର ଡାକ୍ତର କାମ କରୁଛନ୍ତି । ପ୍ରତ୍ୟହ ୩୦୦/୪୦୦ଜଣ ରୋଗୀ ପଜିଂକୃତ ହେଉଛନ୍ତି । ଏଥିସହ ୪ଜଣ ସେବିକାଙ୍କ ବଦଳରେ ୨ଜଣ ଅଛନ୍ତି ଏବେ ସେଥିରୁ ଜଣେ ସେବିକାଙ୍କର ଅନ୍ୟତ୍ର ବଦଳି ହୋଇଛି । ଅନ୍ୟାନ୍ୟ ୬ଟି ଡାକ୍ତରଖାନା ଯଥା ମାଣିକାଗୋଡା,ପିଚୁକୁଳି,ଦେଉଳି,ତାଳତୁମ୍ବ,ଗୌଡନୂଆଗାଁ ଓ ମାଣିବନ୍ଧ ଠାରେ କେହିି ଡାକ୍ତର ନାହାନ୍ତି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହା ସହଜରେ ଅନୁମେୟ । ଏବେ ବର୍ଷା ରୁତୁ ଚାଲିଥିବା ବେଳେ ଝାଡାବାନ୍ତି,ମାଲେରିଆ ଓ ଡେଙ୍ଗୁ ଭଳି ସଂକ୍ରାମକ ରୋଗ ବ୍ୟାପିବାର ଆଶଂକା ପ୍ରକାଶ ପାଉଛି । ଗତ ୮ ଦିନ ତଳେ ଦଳେଇସାହି ପଚାଂୟତରେ ଝାଡାବାନ୍ତିରେ ୧୫ଜଣ ଆକ୍ରାନ୍ତ ହୋଇଥିଲେ । ଗତବର୍ଷ ବ୍ଲକ ଅଚଂଳରେ ଡେଙ୍ଗୁଜ୍ୱରରେ ୫ଜଣ ଆକ୍ରାନ୍ତ ହୋଇଥିଲେ । ତେବେ ଏନେଇ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏସଂପର୍କରେ ଖୋର୍ଦ୍ଧାଜିଲା ସିଡିଏମଓଙ୍କୁ ପଚାରିବାରୁ ଏବେ ସରକାର ନିଯୁକ୍ତି ପ୍ରକ୍ରିୟା ଚାଲୁ ରଖିଛନ୍ତି ଖୁବ୍ ଶୀଘ୍ର ଆସୁ ସମାଧାନ କରାଯାଇ ପାରିବ ବୋଲି ସମାନ ମତ ଦେଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ପଦବୀ ପୁରଣ କରାନଗଲେ ପୁଣି ଥରେ ଜାତୀୟ ରାଜପଥ ୫୭କୁ ବୋଲଗଡ ଠାରେ ଅନିଦ୍ଧିଷ୍ଟ କାଳପାଇଁ ଗଣତାନ୍ତ୍ରୀକ ଉପାୟରେ ବନ୍ଦ କରାଯିବ ବୋଲି ବୋଲଗଡ ବଣିକ ମହାସଭା ପକ୍ଷରୁ ସୂଚନା ଦିଆଯାଇଛିି ।