କେନ୍ଦ୍ରାପଡା: ମାଡାମଙ୍କ ଟିକେଟ ପକ୍କା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନିର୍ବାଚନକୁ ଆଉ ମାତ୍ର କେତୋଟି ଦିନ । ଏଯାବତ୍ କୌଣସି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରି ନାହାନ୍ତି । ତେବେ ସମସ୍ତଙ୍କ ନଜର ରହିଛି ଶାସକ ଦଳ ଉପରେ । କୌଣସି ପ୍ରାର୍ଥୀଙ୍କୁ ନେଇ ସ୍ପଷ୍ଟ ଚିତ୍ର ସର୍ବସମ୍ମୁଖକୁ ଆସି ନ ଥିଲେ ମଧ୍ୟ କୁହାଯାଉଛି ନବୀନଙ୍କ ୩୩ ପ୍ରତିଶତ ମହିଳା କାର୍ଡକୁ ନେଇ ୨୧ଟି ଲୋକସଭା ଆସନ ମଧ୍ୟରେ ୮ଟି ଆସନରେ ମହିଳା ପ୍ରାର୍ଥୀ ନିର୍ବାଚନ ଲଢିବେ । ସେମାନଙ୍କ ମଧ୍ୟରେ ୨ଟି ଅନୁସୂଚୀତ ଜାତି, ୨ଟି ଅନୁସୂଚୀତ ଜନଜାତି ଓ ୪ଟି ସାଧାରଣ ବର୍ଗ ମହିଳାଙ୍କ ପାଇଁ ରହିବ । ଏହି ୮ ଜଣଙ୍କ ମଧ୍ୟରେ କିଏ କିଏ ରହିଛନ୍ତି, ତାହା ଏଯାବତ୍ ଜଣାପଡିନଥିବା ବେଳେ ଦୁଇଟି ଚର୍ଚ୍ଚିଚ ମହିଳା ପ୍ରଶାସିକାଙ୍କୁ ନେଇ ଚର୍ଚ୍ଚା ହେଉଛି ।
ରାଜନୀତି ବିଶେଷଜ୍ଞଙ୍କ ମଧ୍ୟରୁ କିଛି କହୁଛନ୍ତି ଯାଜପୁର ଆସନ ଓଡିଶା ପ୍ରଶାସିକା ସର୍ମୀଷ୍ଠା ସେଠୀଙ୍କ ପାଇଁ ଉଦ୍ଦିଷ୍ଟ । ସେହି ଆସନରେ ଆଉ କେହି ନଜର ପକାଇ ପାରିବେ ନାହିଁ । ସେହିପରି ଆଉ ଏକ ହାଇପ୍ରୋପାଇଲ ଆସନ ହେଉଛି କେନ୍ଦ୍ରାପଡା । କେନ୍ଦ୍ରାପଡା ଆସନରେ ବିଜେପି ପକ୍ଷରୁ ବୈ÷ଜୟନ୍ତ ଠିଆହେବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡି ଜଣେ ହାଇପାୱାର ପ୍ରାର୍ଥୀ ଠିଆ କରିବାକୁ ଯାଉଛି । ସେହି ପ୍ରାର୍ଥୀ ହେଲେ ଦଳର ସୁପ୍ରିମୋଙ୍କ ମାର୍ଗଦର୍ଶକ ତଥା ଦଳର ସୁପର ସୁପ୍ରିମୋ ପ୍ରଶାସକଙ୍କ ସ୍ତ୍ରୀ ।
ହଁ, କେନ୍ଦ୍ରାପଡାରୁ ପ୍ରଶାସକ ତାଙ୍କ ଧର୍ମପତ୍ନୀଙ୍କୁ ଠିଆ କରିବାକୁ ଯାଉଛନ୍ତି । ସୁଜାତା ରାଉତ କାର୍ତ୍ତିକେୟନ ହେଉଛନ୍ତି ପେସାରେ ଜଣେ ଭାରତୀୟ ସେବା ପ୍ରଶାସିକା । । ସେ କେନ୍ଦ୍ରାପଡାରୁ ଠିଆ ହେବାକୁ ଯାଉଛନ୍ତି । ତାଙ୍କ ଟିକେଟ ପକ୍କା ହୋଇଥିବା ଶୁଣିବାକୁ ମିଳୁଛି । କୁହାଯାଉଛି, ବିଜେଡି ଶିବିରରେ ଟିକେଟ ପାଇଁ ଆଶାୟୀଙ୍କୁ ଭିଡ ଲାଗି ରହିଥିବା ବେଳେ କିନ୍ତୁ ଟକେଟ ତାଲିକାର ଗୁରୁଭାର ରହିଛି ପ୍ରଶାସକଙ୍କ ହାତରେ । ସେ ଯାହାକୁ ଚାହିଁବେ ତାକୁ ଦଳରେ ଟିକେଟ ଦେବେ । ଏପରି ଶକ୍ତିର ଅଧିକାରୀ ଏହି ବାବୁ କୁଆଡେ ନିଜ ଶକ୍ତି ବଳରେ ନିଜ ସ୍ତ୍ରୀଙ୍କୁ କେନ୍ଦ୍ରାପଡା ଟିକେଟ ଦେଉଛନ୍ତି ବୋଲି ଦଳରେ ଚର୍ଚ୍ଚା ହେଉଛି । ମାଡାମ ମିଶନ ଶକ୍ତିର ନିର୍ଦ୍ଦେଶିକା ଅଛନ୍ତି । ମହିଳାଙ୍କ ଭୋଟ ମାଡମଙ୍କୁ ହିଁ ମିଳିବ ବୋଲି ବାବୁ ଆଜ୍ଞା ସୁପ୍ରିମୋଙ୍କ ମଗଜରେ ଏହା ଭରିଛନ୍ତି । ଏମିତି କିଛି ମିଳିଛି ଭିତିରି ଖବର ।