ଦୁର୍ଗାପୂଜାରେ ସୁରକ୍ଷା ଉପରେ ପୁଲିସର କଡ଼ା ନଜର। ୧୨୪୩ଟି ପୂଜା ମଣ୍ଡପ ପାଇଁ ୩୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ। ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଟ୍ରାଫିକ୍ ଓ ଅଗ୍ନି ନିରାପତ୍ତା ଉପରେ ରହିବ ସ୍ୱତନ୍ତ୍ର ନଜର। କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଡଃ ସତ୍ୟଜିତ ନାଏକଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ଜିଲ୍ଲାର ଏସ୍ପିଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ବୈଠକ ହୋଇଥିଲା। ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ ପୁଲିସ ମୁତୟନ ଉପରେ ହୋଇଥିଲା ଆଲୋଚନା।

କେନ୍ଦ୍ରାଞ୍ଚଳ ଅଧୀନ ବିଭିନ୍ନ ଜିଲ୍ଲାରେ ୧୨୪୩ଟି ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ଆରାଧନା। ଏଥିସହ ମା’ ଶାରଳା, ମା’ ଚର୍ଚ୍ଚିକା, ମା’ ଭଟ୍ଟାରିକା ଓ ମା’ ସିର୍ଲୋଙ୍କ ପରି ପ୍ରମୁଖ ଶକ୍ତିପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମୁଛି। ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୩୬ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି। ବିଶେଷକରି ପୂଜା ମଣ୍ଡପ ଓ ରାବଣପୋଡ଼ି ସ୍ଥଳରେ ଭିଡ଼ ନିୟନ୍ତ୍ରଣ, ପ୍ରବେଶ ଓ ପ୍ରସ୍ଥାନ ପଥର ସୁପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ପ୍ରମୁଖ ମଣ୍ଡପରେ ସିସିଟିଭି ନଜରଦାରୀ ସହ ମୀନା ବଜାର ଓ ରାମ ଦୋଳିର ସୁରକ୍ଷା ଉପରେ ମଧ୍ୟ ରହିବ ସ୍ୱତନ୍ତ୍ର ନଜର।

ସମସ୍ତ ଏସ୍ପିଙ୍କୁ ସତର୍କ ରହିବା ସହ ଅନ୍ୟ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ନିୟମିତ ସ୍ଥିତି ସମୀକ୍ଷା କରିବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବିସର୍ଜନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ପ୍ରତି ଦୁଇ ଘଣ୍ଟାରେ ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ତେବେ ଦୁର୍ଗାପୂଜାରେ ଶାନ୍ତି, ଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କେନ୍ଦ୍ରାଞ୍ଚଳ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି।
