ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଶିବମନ୍ଦିର ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଗାଡ଼ିରୁ ୭୧ କେଜି ଗଞ୍ଜେଇ ଜବତ କରିଛି ନାକଟିଦେଉଳ ପୋଲିସ। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ରେଢ଼ାଖୋଲ ପଟୁ ଏକ କାର ନାକଟିଦେଉଳ ଅଭିମୁଖେ ଆସୁଥିବା ସମୟରେ ଶିବମନ୍ଦିର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଗାଡ଼ି ଯାଞ୍ଚ ସମୟରେ ସେଥିରୁ ପୁଳା ପୁଳା ଗଞ୍ଜେଇ ମିଳିଥିଲା।
ପୋଲିସ ଗାଡ଼ିରୁ ମୋଟ ୭୧ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଲୁଲୁ କହଁର ଓ ବଳରାମ କହଁରଙ୍କୁ ଅଟକ ରଖାଯାଇଛି। ଏନେଇ ନାକଟିଦେଉଳ ଥାନା ଅଧିକାରୀ ଅମୁନସେନ କିରୋ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ଗଞ୍ଜେଇ କେଉଁଠାରୁ ଆସୁଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।