ରାଇଘର:(ମହାଭାରତ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସରକାରୀ କାର୍ଯ୍ୟକ୍ରମ ହେଉ କି ସାଧାରଣ ଜନସମ୍ପର୍କମୂଳକ କାର୍ଯ୍ୟ ଏହାର ସଠିକ୍ ଓ ନିରପେକ୍ଷ ଖବର ଲୋକଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାଇଘର ବ୍ଲକରେ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପ୍ରଦାନ କ୍ଷେତ୍ରରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ଦ୍ଦିଷ୍ଟ ଭାବେ ଖବର ଦିଆଯାଉଥିବା ବେଳେ ଅନ୍ୟ କେତେକ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଉଠିଛି।ସୂଚନା ଅନୁଯାୟୀ ରାଇଘର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବୈଠକ ଓ ଜନହିତକର କାର୍ଯ୍ୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସମୟରେ ସମସ୍ତ ସ୍ୱୀକୃତ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମାନ ଭାବରେ ସୂଚନା ଦେବାର ଆବଶ୍ୟକତା ରହିଛି। ହେଲେ କିଛି ପ୍ରତିନିଧିଙ୍କୁ ସୂଚନା ଦିଆଯାଉଥିବା ବେଳେ ଅନ୍ୟମାନଙ୍କୁ ସୂଚନା ନଦେବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।ଗଣମାଧ୍ୟମ କେବଳ ଏକ ସଂସ୍ଥାର ପ୍ରଚାର ମାଧ୍ୟମ ନୁହେଁବଏହା ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ। ସରକାରୀ ଯୋଜନା ଉନ୍ନୟନମୂଳକ କାର୍ଯ୍ୟ ଓ ଜନସମସ୍ୟା ସମ୍ପର୍କିତ ଖବର ସଠିକ୍ ଭାବରେ ପ୍ରକାଶ ପାଇଲେ ହିଁ ସାଧାରଣ ଲୋକେ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇପାରନ୍ତି। ଏଭଳି ପରିସ୍ଥିତିରେ ରାଇଘର ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ତାଙ୍କର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶାସନିକ ଅଧିକାରୀ ଭାବେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମାନ ଗୁରୁତ୍ୱ ଦେଇ ସରକାରୀ ସୂଚନା ଉପଲବ୍ଧ କରାଇବା ଉଚିତ ବୋଲି ମତ ପ୍ରକାଶ ପାଉଛି। ପ୍ରଶ୍ନ ଉଠୁଛି ସରକାରୀ କାର୍ଯ୍ୟକ୍ରମର ଖବର କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାତ୍ର ଦିଆଯିବ ନା ସମସ୍ତଙ୍କୁ ସମାନ ଭାବରେ ସୂଚନା ଦିଆଯିବ? ଯଦି ପ୍ରଶାସନ ସ୍ୱଚ୍ଛତା ଓ ନିରପେକ୍ଷତାର କଥା କହୁଛି ତେବେ ସୂଚନା ପ୍ରଦାନ କ୍ଷେତ୍ରରେ ମଧ୍ୟ ସମାନତା ରହିବା ଆବଶ୍ୟକ।ତେବେ ଏହି ଅଭିଯୋଗ ସମ୍ପର୍କରେ ରାଇଘର ବିଡିଓଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିଛି କି ନାହିଁ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅଭିଯୋଗର ସତ୍ୟତା ଓ ବାସ୍ତବ ସ୍ଥିତି ସ୍ପଷ୍ଟ ହେବା ପାଇଁ ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟ ମତ ରଖିବା ଆବଶ୍ୟକ।ସାମ୍ବାଦିକ ମହଲର ଦାବି ସରକାରୀ କାର୍ଯ୍ୟକ୍ରମର ସୂଚନା ପ୍ରଦାନରେ କୌଣସି ପକ୍ଷପାତ ନରହୁ। ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମାନ ଭାବରେ ସୂଚନା ଦିଆଯାଇଲେ ହିଁ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସୁସ୍ଥ ସମନ୍ୱୟ ରହିପାରିବ। ଏବେ ଦେଖିବାକୁ ବାକି ରହିଲା ଏହି ଅଭିଯୋଗ ନେଇ ରାଇଘର ବ୍ଲକ ପ୍ରଶାସନ କି ପଦକ୍ଷେପ ନେଉଛି ।