ଆଜି ପବିତ୍ର ଅକ୍ଷୟ ତୃତୀୟା । ମାନ୍ୟତା ଅଛି ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ । ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବା ସହ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଅୟମାରମ୍ଭ ହୋଇଥାଏ । ଅପରାହ୍ଣରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ବିଜେ ହେବା ପରେ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ରଥକାର୍ଯ୍ୟ ଅନୁକୂଳ ନିମନ୍ତେ ୩ ବାଡ଼ରୁ ୩ ପୂଜାପଣ୍ଡା ଆଜ୍ଞାମାଳ ଧରି ଆଗରେ ଏବଂ ବିଜେ ପ୍ରତିମା ପଟୁଆରରେ ଶ୍ରୀନଅର ନିକଟ ରଥଖଳାକୁ ବିଜେ କରିଥାନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ବିଧିବିଧାନ ଅନୁଯାୟୀ ରଖାଯାଇଥାଏ । ପରେ ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ନୀତି ସମ୍ପନ୍ନ ହୋଇଥାଏ ।

ରଥନିର୍ମାଣ ସହ ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଯାହା ୨୧ ଦିନ ଧରି ଚାଲିବ । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାରୁ ୨୧ ଦିନ ଧରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିରେ ଭୁଦେବୀ, ଶ୍ରୀଦେବୀ ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚ ଶଙ୍କର ଜମ୍ବେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେୟ ଏବଂ ନୀଳକଣ୍ଠ ମହାପ୍ରଭୁଙ୍କ ସହ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଶୋଭାଯାତ୍ରାରେ ଯାଇଥାନ୍ତି । ଠାକୁର ମାନେ ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚବା ପରେ ଭିତରଚ୍ଛ ମହାପାତ୍ର ଜଳଲାଗି କରିଥାନ୍ତି । ଠାକୁରଙ୍କୁ ଦୁଇ ଚାପଡଙ୍ଗାରେ ବିଜେ କରାଯାଇ ଚାପ ଖେଳାଯାଏ । ମାଣ୍ଡୁଅ ଭୋଗ ଓ ବିଡ଼ିଆ ମଣୋହୀ ପରେ ଠାକୁରମାନେ ରାତି ଚାପ ଖେଳି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି । ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ମହାପ୍ରଭୁଙ୍କୁ ଶୀତଲତା ପାଇଁ ଏହି ପର୍ବ ଉଦ୍ଦିଷ୍ଟ ।
