ଉଦଳାରେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଲଜ୍ଜାଜନକ ଘଟଣା । ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତ ୧୧ ତାରିଖ ସନ୍ଧ୍ୟାରେ ଘରେ କେହି ନଥିବା ସମୟରେ ଦୁଇ ଅଭିଯୁକ୍ତ ଘରେ ପଶି ନାବାଳିକାଙ୍କୁ ନେଇଯାଇଥିବା ଅଭିଯୋଗ ହୋଇଛି । ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା । ଏହାପରେ ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଅନ୍ୟପଟେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାଙ୍କୁ ସୁଧାର ଗୃହକୁ ପଠାଯାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି ।