ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପିର ବାଜିମାତ୍: କଂଗ୍ରେସ କାମୁଡିଲା ମାଟି

ପଶ୍ଚିମବଙ୍ଗରେ ବିଜେପିର ଆଉ ଏକ ବିପୁଳ ବିଜୟ। ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ହାସୀରାଣୀ ରଥ। ସେ ୧ ଲକ୍ଷ ୬୪ ହଜାର ୨୭୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ମିଲନ ପ୍ରଧାନ ମାତ୍ର ୪୧ ହଜାର ୬୭୪ ଖଣ୍ଡ ଭୋଟ୍ ପାଇଛନ୍ତି। ୧୯୬୭ ପରଠୁ ଏହି ଆସନରେ ପ୍ରଥମ ଥର ପାଇଁ କୌଣସି ପ୍ରାର୍ଥୀ ଏତେ ସଂଖ୍ୟକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହା ପୂର୍ବରୁ ନନ୍ଦିଗ୍ରାମ ଆସନରେ ରେକର୍ଡ ବ୍ୟବଧାନରେ ନିର୍ବାଚନ ଜିତିଥିଲେ ଶୁଭେନ୍ଦୁ ଅଧିକାରୀ।

ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ସହିତ ଭବାନୀପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ଦୁଇଟି ଯାକ ଆସନରେ ବିଜୟୀ ହୋଇଥିବା ବେଳେ ନନ୍ଦିଗ୍ରାମ ଆସନକୁ ଛାଡ଼ି ଦେଇଥିଲେ। ସେଥିପାଇଁ ଏହି ଆସନରେ ଉପନିର୍ବାଚନ କରାଯାଇଥିଲା। ଏହି ଆସନରୁ ବିଜୟୀ ହୋଇଥିବା ହାସୀରାଣୀ ରଥ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ମା’, ଯାହାଙ୍କୁ ଗତ ମେ’ ୬ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା।