ଆଜି ଛାତ୍ର ସଂସଦ ନିର୍ବାଚନ ପ୍ରଚାରର ଶେଷ ଦିନ । ହାତରେ ଆଉ ରହିଛି କିଛି ସମୟ । ଆସନ୍ତାକାଲି ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ । ଏନେଇ କ୍ୟାମ୍ପସରେ ଉତ୍ସାହ ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀଙ୍କ କ୍ୟାମ୍ପେନିଂ ଜୋରଦାର ଚାଲିଛି । ପୂରା ଚହଳ ପଡିଛି କଲେଜ କ୍ୟାମ୍ପସ । ୩୪୮ଟି କଲେଜରେ ହେବ ନିର୍ବାଚନ । ଯେଉଁ ଦଳ ପକ୍ଷରୁ ପ୍ରାର୍ଥୀମାନେ ଛିଡା ହୋଇଛନ୍ତି ସେମାନେ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ସମସ୍ୟା ପଚାରି କ୍ୟାମ୍ପନିଂ ଆରମ୍ଭ କରିଛନ୍ତି ଏବଂ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ନିଜ ସପକ୍ଷକୁ ଭୋଟରଙ୍କୁ ଟାଣିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଏବିଭିପି, ବିଜୁ ଛାତ୍ର ଜନତା ଦଳ ଏବଂ ଛାତ୍ର କଂଗ୍ରେସ। ସକାଳେ କ୍ଲାସ୍ରୁମ୍ ପ୍ରଚାର ପରେ ସଂଧ୍ୟା ହେବା ମାତ୍ରେ ହଷ୍ଟେଲରେ ପହଞ୍ଚି ଯାଉଛନ୍ତି ପ୍ରାର୍ଥୀ। ସେଠାରେ ପିଲାଙ୍କୁ ଡାକି ପ୍ରଚାର କରୁଛନ୍ତି । ନିଜର ଇସ୍ତାହାରକୁ ପିଲାଙ୍କ ପାଖେ ରଖୁଛନ୍ତି। ସମର୍ଥକମାନେ ସଂଧ୍ୟାରେ ରୋଲ୍, ଚାଓମିନ୍ ଭଳି ଫାଷ୍ଟଫୁଡ୍ ସହ ରାତିରେ ବିରିୟାନୀ ନହେଲେ ପସନ୍ଦର ଖାଦ୍ୟ ଦିଆଯାଉଛି । ଛାମୁଆ ଛାତ୍ର ନେତା ମାନେ କ୍ୟାମ୍ପସ ବାହାରେ ଡେରା ପକାଇଛନ୍ତି । ବାହାରୁ ଗାଇଡ୍ କରୁଛନ୍ତି । ଭିତରରେ ପୂର୍ବ ଛାତ୍ର ସଭାପତି, ସଂପାଦକ ଓ ନେତୃତ୍ୱ ମାନେ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି ।

ସେହି ଭଳି କଲେଜ କ୍ୟାମ୍ପସରେ ପୋଷ୍ଟର ୱାର୍, କ୍ଲାସ ରୁମରେ ଜୋରଦାର କ୍ୟାମ୍ପେନ । କ୍ୟାମ୍ପସରେ ପତିଆରା ପାଇଁ ଚାଲିଛି ଲଢ଼େଇ । କ୍ୟାମ୍ପସ ଫାଟକ ଆରମ୍ଭରୁ କ୍ୟାମ୍ପସ ପରିସର ସାରା ଯେଉଁଠି ଦେଖିବ ମାଳମାଳ ପୋଷ୍ଟର, ବ୍ୟାନରରେ ଘୋଡ଼ାଇ ହୋଇଗଲାଣି । ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ପରିସରରେ ତେଜିବାରେ ଲାଗିଛି ନିର୍ବାଚନୀ ମାହୋଲ । ପ୍ରାଥୀପତ୍ର ପ୍ରତ୍ୟାହାର ପରେ ଏବେ ବିଭିନ୍ନ ପଦ ପାଇଁ ୬ହଜାର ୮୯୧ ଜଣ ପ୍ରାର୍ଥୀ ପ୍ରଚାର ଜୋରଦାର କରିଛନ୍ତି । ୧୩ ବିଶ୍ବିଦ୍ୟାଳୟରେ ୩୮୫ ଜଣ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ନିର୍ବାଚନୀ ହିଂସା ପାଇଁ ରାଜ୍ୟରେ ୨୦ରୁ ଅଧିକ କଲେଜରେ ନିର୍ବାଚନ ବାତିଲ କରାଯାଇଛି । କେଉଁଠି ବୋମାମାଡ଼ ତ ଆଉ କେଉଁଠି ଗୋଷ୍ଠୀ ସଂଘର୍ଷ । ନାମାଙ୍କନ ବିଜ୍ଞପ୍ତି, ଅଣଛାତ୍ର ପ୍ରବେଶକୁ ନେଇ ଉତ୍ତେଜନା ଆଉ ପୋଷ୍ଟର ମରାକୁନେଇ ମଧ୍ୟ ଉତ୍ତେଜନା ଦେଖାଦେଇଛି । ଆସନ୍ତାକାଲି ରହିଛି ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ଏହି ବୈଠକରେ ପ୍ରାର୍ଥୀମାନେ ନିଜ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କ ସାମ୍ନାରେ ରଖିବେ ।

ଅନ୍ୟପଟେ, ଅକ୍ଟୋବର ୧୫ ତାରିଖ ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେବ ମତଦାନ । ଭୋଟ୍ ଗ୍ରହଣ ଶେଷ ହେବା ପରେ ସେହିଦିନ ଅପରାହ୍ନ ୨ଟାରୁ ଫଳାଫଳ ଘୋଷଣା କରାଯିବ । ଏହାପରେ ଅକ୍ଟୋବର ୧୬ ତାରିଖରେ ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ ।
