ଢାକା: ପଡ଼ୋଶୀ ଦେଶ Bangladeshରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ସାଧାରଣତଃ ନିୟନ୍ତ୍ରଣଯୋଗ୍ୟ ମନେହେଉଥିବା ମିଳିମିଳା ରୋଗ ଏବେ ସେଠାରେ ଭୟାବହ ରୂପ ନେଇଛି। ମାର୍ଚ୍ଚ ୨୦୨୬ରୁ ଆରମ୍ଭ ହୋଇଥିବା ଏହି ପ୍ରକୋପରେ ୧୦୦ରୁ ଅଧିକ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି, ଯାହା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉଦ୍ବିଗ୍ନ କରିଛି।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ମାତ୍ର କିଛି ସପ୍ତାହ ମଧ୍ୟରେ ୯୦୦ରୁ ଅଧିକ ନିଶ୍ଚିତ ମିଳିମିଳା ମାମଲା ଏବଂ ପ୍ରାୟ ସାଢ଼େ ସାତ ହଜାର ସନ୍ଦିଗ୍ଧ କେସ୍ ଚିହ୍ନଟ ହୋଇଛି। ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁ ଏବଂ ୯ ମାସରୁ କମ୍ ବୟସର ଶିଶୁମାନେ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି।
ବିଶେଷଜ୍ଞମାନଙ୍କ ମତାନୁସାରେ, ମିଳିମିଳାର ଏତେ ଦ୍ରୁତ ପ୍ରସାର ପଛରେ ଟିକାକରଣର ଅଭାବ ମୁଖ୍ୟ କାରଣ। World Health Organization (WHO) ଅନୁଯାୟୀ, ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ କମ୍ ସେ କମ୍ ୯୫ ଶତାଂଶ ଶିଶୁଙ୍କୁ ଟିକାକରଣ ଅତ୍ୟାବଶ୍ୟକ। କିନ୍ତୁ ବାଂଲାଦେଶରେ ଅନେକ ଶିଶୁ ଏହି ଜରୁରୀ ଡୋଜ୍ ନେବାରୁ ବଞ୍ଚିତ ହୋଇଛନ୍ତି। ରାଜନୈତିକ ଅସ୍ଥିରତା, ଟିକାର ଅଭାବ ଓ ଯୋଗାଣରେ ବିଳମ୍ବ ସ୍ଥିତିକୁ ଆହୁରି ଜଟିଳ କରିଛି।
ମିଳିମିଳା ଏକ ଅତ୍ୟନ୍ତ ସଂକ୍ରାମକ ରୋଗ। ଚିକିତ୍ସକମାନଙ୍କ ଅନୁସାରେ, ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ଏହା ବ୍ୟାପିପାରେ। ଆରମ୍ଭରେ ଜ୍ୱର, କାଶ, ନାକରୁ ପାଣି ବୋହିବା ଏବଂ ଶରୀରରେ ଲାଲ୍ ଦାଗ ଦେଖାଯାଏ। ସମୟରେ ଚିକିତ୍ସା ନ ହେଲେ ଏହା ନିମୋନିଆ ଏବଂ ମସ୍ତିଷ୍କ ପ୍ରଦାହ ଭଳି ଜଟିଳ ଅବସ୍ଥା ସୃଷ୍ଟି କରିପାରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଭିଭାବକମାନଙ୍କୁ ସଚେତନ ରହିବାକୁ ଓ ଶିଶୁମାନଙ୍କୁ ସଠିକ୍ ସମୟରେ ଟିକାକରଣ କରାଇବାକୁ ପରାମର୍ଶ ଦେଇଛନ୍ତି। ଏହି ପରିସ୍ଥିତି କେବଳ ବାଂଲାଦେଶ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏକ ଚେତାବନୀ ଭାବେ ଦେଖାଯାଉଛି।ଟିକାକରଣରେ ସାମାନ୍ୟ ଅବହେଳା ମଧ୍ୟ କେତେ ଭୟାବହ ପରିଣାମ ଆଣିପାରେ, ବାଂଲାଦେଶର ବର୍ତ୍ତମାନ ସ୍ଥିତି ତାହାର ଜ୍ୱଳନ୍ତ ଉଦାହରଣ। ସେଥିପାଇଁ ସଚେତନ ରୁହନ୍ତୁ ଓ ପିଲାମାନଙ୍କୁ ସମୟମତେ ଟିକା ଦେଇ ସୁରକ୍ଷିତ ରଖନ୍ତୁ।