କଟକ: କଟକ ଜିଲ୍ଲାରେ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା (House Listing) କାର୍ଯ୍ୟ କରାଯାଇ ଏପ୍ରିଲ ମାସ ସୁଦ୍ଧା ଏହା ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଘର ଗଣନା ପରେ ମୁଖ୍ୟ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏଥର ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ ଜନଗଣନା କରାଯିବ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ସୂଚନା ଦେଇଛନ୍ତି। ଗଣନା ଅଧିକାରୀମାନେ ଟାବ୍ ଓ ଡିଜିଟାଲ ଉପକରଣ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ।

ସୂଚନା ଅନୁଯାୟୀ, ଘର ଗଣନା ସମୟରେ ଘର ମୁରବୀମାନଙ୍କଠାରୁ ମୋଟ ୩୩ଟି ପ୍ରଶ୍ନର ଉତ୍ତର ସଂଗ୍ରହ କରାଯିବ। ଏଥିରେ ଘର ସଂଖ୍ୟା, ଗୃହର ପ୍ରକାର, କାନ୍ଥ ଓ ଛାଦ ନିର୍ମାଣରେ ବ୍ୟବହୃତ ସାମଗ୍ରୀ, ବ୍ୟବହୃତ କୋଠାରୀ ସଂଖ୍ୟା, ପରିବାର ସଦସ୍ୟ, ଜାତି, ଲିଙ୍ଗ ଓ ଘରେ ବସୋବାସ କରୁଥିବା ଦମ୍ପତି ସମ୍ପର୍କିତ ତଥ୍ୟ ରହିବ। ସେହିପରି ଘରେ ରେଡିଓ, ଟେଲିଭିଜନ, ଲାପଟପ୍, ସାଇକେଲ, ସ୍କୁଟର, ବାଇକ, ଚାରିଚକିଆ ଯାନ, ଟେଲିଫୋନ, ମୋବାଇଲ ଓ ସ୍ମାର୍ଟ ଫୋନ ବ୍ୟବହାର ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ଏହା ସହ ଘରେ ଶୌଚାଳୟ ଅଛି କି ନାହିଁ, ରୋଷେଇ ଘରେ ଗ୍ୟାସ ସଂଯୋଗ, ପାନୀୟ ଜଳ ଉତ୍ସ, ବିଦ୍ୟୁତ ଶକ୍ତି ଓ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପର୍କିତ ସୂଚନା ମଧ୍ୟ ନିଆଯିବ। ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ଗଣନା କର୍ମଚାରୀଙ୍କୁ ସହଯୋଗ କରିବା ସହ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।