ରାଜଗାଙ୍ଗପୁର: ନିଆଁରେ ପୋଡି ହୋଇ ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତା ଆଖି ବୁଜିଛନ୍ତି । ନିଜ ଶରୀରରେ କିରୋସିନ ଢାଳି ନିଆଁ ଲଗାଇଥିଲେ ନାବାଳିକା ଛାତ୍ରୀ । ପୁରୁଷ ବନ୍ଧୁର ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଆତ୍ମାହୁତି ଉଦ୍ୟମ କରିଥିବା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଭେଟିଥିଲେ । ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ସେ ଜୀବନ ଓ ମୃତ୍ୟୁର ଦୋଛକିରେ ରହିଥିଲେ ।

ସ୍ବାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗ ଛାତ୍ରୀଙ୍କ ଅବସ୍ଥା ଦେଖିବା ସହ ତାଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ସେ ଛାତ୍ରୀଙ୍କ ପରିବାରକୁ ମଧ୍ୟ ଭେଟି ସମବେଦନା ଜଣାଇଥିଲେ। ଛାତ୍ରୀଙ୍କ ଶରୀରର ପ୍ରାୟ ୯୨ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର କରିବା ପାଇଁ ଡାକ୍ତରୀ ଦଳ ପ୍ରୟାସ କରିଥିଲେ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏମ୍ସ ସହ ଯୋଗସୂତ୍ରରେ ରହିବା ସହ ମନ୍ତ୍ରୀ ନିଜେ ମଧ୍ୟ ଏମ୍ସ ନିର୍ଦେଶକଙ୍କ ସହ ଆଲୋଚନା କରିଥିଲେ । ଆବଶ୍ୟକ ସ୍ଥଳେ ଛାତ୍ରୀଙ୍କୁ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ହେଲେ ଛାତ୍ରୀଙ୍କ ଅବସ୍ଥା ସ୍ଥିର ହୋଇଥିଲେ ସ୍ଥାନାନ୍ତର କରାଯାଇଥାନ୍ତା । ହେଲେ ପୀଡିତା ଆଜି ଆଖି ବୁଜିଛନ୍ତି । ଏହି ଘଟଣାରେ ପୁଲିସ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବସ୍ ଖଲାସୀ ନୀଳେଶ ସାହୁକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଆରକ୍ଷୀ ଅଧୀକ୍ଷକ କହିଛନ୍ତି।