ଅନିଶ୍ଚିତତା ଭିତରକୁ ଯାଉଛି ରାଜ୍ୟ ବିଜେପି ବୋର୍ଡ-ନିଗମ ଅଧ୍ୟକ୍ଷ ନିଯୁକ୍ତି

ବ୍ୟୁରୋ:- ରାଜ୍ୟ ବିଜେପି ସରକାରଙ୍କୁ ପୁରିଛି ୧୪ ମାସ । ଏବେ ନଜର ରହିଛି ନିଗମ ବୋର୍ଡ ଓ ଦଳର ସାଙ୍ଗଠନିକ ପଦ ପାଇଁ ନୁଯୁକ୍ତିରେ ।  ଦଳୀୟ ଆଶାୟୀଙ୍କ ବଢୁଛି ବ୍ୟାକୁଳତା ଓ ଛଟପଟ । ପ୍ରତିଶୃତି, ଧର୍ଯ୍ୟ ଓ ଅପେକ୍ଷା ରେ ବୁଝୁନି ନେତାଙ୍କ ମନ । ବିଜେପିର ନୂଆ ରାଜ୍ୟ ସଭାପତି ଚୟନ ବି ସରିଲାଣି । କମିଟି ଗଠନ ହୋଇ ପାରୁନଥିବା ବେଳେ ଅନିଶ୍ଚିତତା ଭିତରକୁ ଯାଉଛି ବୋର୍ଡ-ନିଗମ ଅଧ୍ୟକ୍ଷ ନିଯୁକ୍ତି । ପାଖାପାଖି ୧୫୦ରୁ ଉର୍ଦ୍ଧ ନେତା ଆଶାୟୀ ଥିବାବେଳେ ନିଷ୍ପତ୍ତିରେ ବିଳମ୍ବ ଯୋଗୁଁ ତୃଣମୂଳସ୍ତରରେ ଥିବା କର୍ମୀଙ୍କ ମଧ୍ୟରେ ନିରାଶା ଭାବ ଦେଖିବାକୁ ମିଳିଛି । ସରକାରକୁ ୧୪ ମାସ ପୂରିବାକୁ ବସିଥିବା ବେଳେ କାହିଁକି ହୋଇପାରୁନି ନିଷ୍ପତ୍ତି ? କେଉଁଠି ରହୁଛି ଅଡୁଆ ? ତାକୁ ନେଇ ବାହାର ଅପେକ୍ଷା ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି । ସେପଟେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ବାରମ୍ବାର ଦିଲ୍ଲୀ ଗସ୍ତ ସସ୍ପେନ୍ସ ବଢ଼ାଉଛି  ।

ଦଳରେ ମାଳ ମାଳ ନେତା ନିର୍ବାଚନ ନ ଲଢ଼ି ସଂଗଠନ ପାଇଁ କାମ କରିଥିଲେ । ବର୍ଷେ ହେଲାଣି ଅନେକ ପଦ ପାଇଁ ଅନାଇ ବସିଛନ୍ତି । ଗତକାଲି ମହିଳା କମିଶନ ଓ ଶିଶୁ ଆୟଗ ପାଇଁ ନାମ ଘୋଷଣା ହୋଇଛି । ଖାଲି ଥିବା ଅନେକ ପଦ କେବେ ପୂରଣ ହେବ ସେଥିପାଇଁ ନେତା ଚକ୍କର କାଟିଲେଣି । ସେପଟେ ବୋର୍ଡ ନିଗମ ପୂରଣ ହୋଇପାରୁନଥିବାରୁ ଶାସକ ଦଳକୁ ଚୁଗୁଲାଉଛି   ବିଜେଡି । ଜବାବରେ ଶାସକ ଦଳ ବିଧାୟକ କହିଛନ୍ତି ଠିକ ସମୟ ରେ ନିଷ୍ପତ୍ତି ନେବେ ରାଜ୍ୟ ସଭାପତି ।