ଗଣିଆ-: ଶୁକ୍ରବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଛି ଗଣିଆ ଲଙ୍କାପୋଡ଼ି ଯାତ୍ରା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଉଦ୍ଜାପନୀ ଉତ୍ସବ । ମଞ୍ଚରେ ପ୍ରଥମେ ସ୍ଥାନୀୟ କଳା ବିକାଶ ପରିଷଦର କଳାକାର ଓ ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀ ମାନେ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିଥିଲେ । ଆୟୋଜିତ ଉଦ୍ଜାପନୀ ସଭାରେ ଲଙ୍କାପୋଡ଼ି ଯାତ୍ରା କମିଟିର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଧାନସଭାର ଶାସକ ଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ମୁଖ୍ୟ ବକ୍ତା କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କର, ଯାତ୍ରା କମିଟିର ଉପଦେଷ୍ଟା ବିଭୂତି ଭୂଷଣ ପଣ୍ଡା, ଆନନ୍ଦ ଚନ୍ଦ୍ର ବେହେରା, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ ମଞ୍ଚରେ ଉପସ୍ଥିତ ଥିଲେ । ବାସ୍ତବିକ୍ ମହୋତ୍ସବଟି ସ୍ଥାନୀୟ କଳାକାର ମାନଙ୍କୁ ନୃତ୍ୟ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ସ୍ଥଳୀ ହେବା ସହିତ ଲୋକକଳା କୁ ଉଜ୍ଜୀବିତ କରି ଗଢି ତୋଳିବାର ଏକ ଉତ୍କୃଷ୍ଟ ମାଧ୍ୟମ । ରାଜ୍ୟରେ ମାତ୍ର ଆଠଟି ବ୍ଲକକୁ ନେଇ ଗଠିତ ଗଣିଆ ଲଙ୍କାପୋଡି ଯାତ୍ରା ଓ ପଲ୍ଲୀଶ୍ରୀ ମେଳା ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଥିବାରୁ ଅତିଥିବୃନ୍ଦ, ସ୍ଥାନୀୟ ଜନସାଧାରଣ ଖୁସି ପ୍ରକଟ କରିବା ସହ ମନଭରି ମଜା ଉଠାଇଥିଲେ । ଗଣିଆର ରାମଲୀଳା ଲୋକକଳା ସଂସ୍କୃତିର ପୃଷ୍ଠ ଭୂମି ଓ ଐତିହ୍ୟ ପରମ୍ପରାକୁ ବର୍ଣ୍ଣନା କରିବା ସହ ଗଣିଆର ଉନ୍ନତି ଦିଗରେ ଆହୁରି ସହାୟକ ହେବ ଓ ଆଗାମୀ ସମୟରେ ଏହା ଅତି ସରସ ସୁନ୍ଦର ଓ ଆକର୍ଷଣୀୟ ଭାବେ ପାଳନ କରାଯିବ ବୋଲି ସଭାପତି ଓ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ମହୋତ୍ସବକୁ ସୁଚାରୁରୂପେ ନିଜର କାର୍ଯ୍ୟ ସମ୍ପାଦାନ କରିଥିବା ବ୍ୟକ୍ତି ବିଶେଷ, ସମାଜସେବୀ ଓ କମିଟିର ସଭ୍ୟ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।