ଭୁବନେଶ୍ବର: ଓଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି। ଏବେ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି ପରଠୁ ଏହି ପଦବୀ ଖାଲି ପଡ଼ିଥିଲା। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ମଧୁମିତା ରଥ ନିଜ ଦାୟିତ୍ୱ ସହ ‘ଉତ୍କଳିକା’ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ।
କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ ଅତିରିକ୍ତ କମିଶନର କରାଯାଇଛି। ସେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ। ସେହିଭଳି ପ୍ରଦୀପ କୁମାର ରାଉତଙ୍କୁ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଡିଏମ୍ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।