ମହାପ୍ରଭୁଙ୍କ ବନକଲାଗି ପାଇଁ ଚିଠି ଆସିଛି ସତ କିନ୍ତୁ ସାମଗ୍ରୀ ଦେଇନାହାନ୍ତି : ବିଜୟ ଦତ୍ତମହାପାତ୍ର

ପୁରୀ / ସଞ୍ଜୟ ମହାପାତ୍ର:  ମହାପ୍ରଭୁଙ୍କ ବନକଲାଗି ପାଇଁ ଫିଟୁନାହିଁ ସମାଧାନର ବାଟ। ଚାଲିଛି ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଶିତଳଯୁଦ୍ଧ। ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରିଚାଲିଛି ସଂପୃକ୍ତ ନିଯୋଗ। ଗତକାଲି ରାତିରେ ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଆଜି ବନକଲାଗି କରିବାକୁ ଚିଠି ଲେଖିଥିବା ବେଳେ ନିଯୋଗ କହିଛନ୍ତି ଏପର୍ଯ୍ୟନ୍ତ ସେମାନଙ୍କୁ ମିଳିନାହିଁ ସାମଗ୍ରୀ। ସେପଟେ ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡିଯାଇଛି ବୋଲି କହିଲେ ଭକ୍ତ।

ଶେଷଥର ଲାଗି ଆଡପମଣ୍ଡପରେ ମହାପ୍ରଭୁଙ୍କର ହୋଇଥିଲା ବନକଲାଗି। ନିଳାଦ୍ରୀ କନ୍ଦରକୁ ବିଜେ କରିବା ପରଠାରୁ ହୋଇନି ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ନିତି। ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡିଯାଇଛି। ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର ନହେଲେ ଶ୍ରୀମୁଖ ପ୍ରତି କିଟପତଙ୍ଗ ଭୟ ରହିଛି। ଏଭଳି ସ୍ଥିତିରେ ଆଜି ବି ଚାଲିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଶିତଳ ଯୁଦ୍ଧ । ଗତକାଲି ବିଳମ୍ବିତ ରାତିରେ ଦତ୍ତମହାପାତ୍ର ନିଯୋଗକୁ ଆଜି ବନକଲାଗି ନିତି କରିବାକୁ ଦେଇଛନ୍ତି ଧମକପୂର୍ଣ୍ଣ ଚିଠି। ବନକଲାଗି  ନକଲେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ସେପଟେ ମହାପ୍ରଭୁଙ୍କ ବନକଲାଗି ପାଇଁ ଚିଠି ଆସିଛି ସତ କିନ୍ତୁ ସାମଗ୍ରୀ ଦେଇନାହାନ୍ତି। ବନକଲାଗି ପାଇଁ ସାଧାରଣତଃ ହିଙ୍ଗୁଳ, ହରିତାଳ, କସ୍ତୁରୀ, ଶଂଖ,କଳା ଆଦି ଅନେକ ପ୍ରକାର ସାମଗ୍ରୀ ବ୍ଯବହାର ହୋଇଥାଏ। କିନ୍ତୁ ବନକଲାଗି ପାଇଁ ପ୍ରାୟ ଆଠ ଦଶ ଘଣ୍ଟା ପୂର୍ବରୁ କଇଁଥ ଅଠା ଭିଜା ଯିବାର ବିଧିରହିଛି। ନଚେତ ଅଠା ସୁଖି ନଥାଏ। ତେବେ ଏପର୍ଯ୍ୟନ୍ତ ସାମଗ୍ରୀ ଦେଇନଥିବାରୁ ଆଜି ବନକଲାଗି କରିବା ସମ୍ଭବ ନୁହେଁ। ଏଣୁ ବିଧି ଅନୁସାରେ ଗୁରୁବାର ଅର୍ଥାତ ଆସନ୍ତା କାଲି ମହାପ୍ରଭୁଙ୍କ ଏକାନ୍ତ ପରେ ବନକଲାଗି ହୋଇପାରିବ। ସତ୍ତ୍ୱଲିପି ଆଧାରରେ ନିତି ନକରି ସେମାନଙ୍କ ଉପରେ ଚାପ ପକାଯାଉଛି। ସେମାନଙ୍କ ବିରୁଦ୍ଧରେ ବିକଳ୍ପ ବ୍ଯବସ୍ଥା କରିବେ ବୋଲି କହି ଶ୍ରୀମନ୍ଦିର ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ଦତ୍ତମହାପାତ୍ର ସେବକ।

ସେପଟେ ଦୀର୍ଘଦିନ ଧରି ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର ନହେବା ଯୋଗୁଁ  ମହାପ୍ରଭୁ ମଳିନ ଦେଖାଯାଉଛି। ପୂର୍ବଭଳି ଶ୍ରୀମୁଖର ଚମକ ନାହିଁ କି ଆକର୍ଷଣୀୟ ଦିଶୁନାହାଁନ୍ତି ଜଗତ ବ୍ରହ୍ମାଣ୍ଡ ଠାକୁର। ଯେଉଁ ଚକାଆଖି କୋଟିକୋଟି ଭକ୍ତଙ୍କୁ ଶ୍ରୀକ୍ଷେତ୍ରକୁ ଟାଣି ଆଣିଥାଏ ଖାସକରି ସେହି ଚକାଆଖି ଆଜି ଫିକା ପଡିଯାଇଛି। ସାଧାରଣ ଲୋକଟିଏ ଯେତେବେଳେ ପ୍ରତି ସପ୍ତାହରେ ନିଜ ମୁଖକୁ ସୌଚ କରି ସୁସ୍ଥତା ଅନୁଭବ କରେ ଠିକ୍ ସେହିପରି ମହାପ୍ରଭୁ ମଧ୍ୟ ସପ୍ତାହରେ ଥରେ ସୌଚ ଅର୍ଥାତ ବନକଲାଗି ହୋଇଥାନ୍ତି। କିନ୍ତୁ ଏତେଦିନ ଧରି ବନକଲାଗି ନହେବା ଉଦବେଗର ବିଷୟ। ଏଣୁ ଯେତେଶିଘ୍ର ମହାପ୍ରଭୁଙ୍କ ବନକଲାଗି କରାଯାଉ। ମହାପ୍ରଭୁଙ୍କ ନିତିରେ ବିବାଦ ନରହୁ ବୋଲି କହିଛନ୍ତି ଭକ୍ତ।

ମହାପ୍ରଭୁଙ୍କ ବନକଲାଗି ନିତି ବନ୍ଦ ହେବାକୁ ପ୍ରାୟ ଏକମାସ ବିତିଲାଣି ହେଲେ କେବେ ହେବ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର ଆଉ ମହାପ୍ରଭୁଙ୍କ ଶ୍ରୀମୁଖରେ ଆଶିବ ସେହି ଦିବ୍ଯ ଚମକ୍ ତାକୁ ନେଇ ଅପେକ୍ଷା କରିଛନ୍ତି ଲକ୍ଷଲକ୍ଷ ଭକ୍ତ ଓ ଦର୍ଶନାର୍ଥି। ପୁରୀରୁ କ୍ଯାମେରା ପର୍ସନ ବିଶ୍ୱନାଥଙ୍କ ସହ ସଂଜୟ ମହାପାତ୍ର, ରିପୋର୍ଟରସ ଟୁଡେ। ଜୟ ଶ୍ରୀଜଗନ୍ନାଥ। ଶାସ୍ତ୍ର ସମ୍ମତ ବିଧାନ, ପ୍ରତି ବୁଧବାର ଦିନ  ମହାପ୍ରଭୁଙ୍କର ବନକ ଲାଗି ଉଚିତ। ସେଦିନ ସମୟ ଅଭାବ ହେଲେ ଗୁରୁବାର ଦିନ କରିବା ଉଚିତ।