ଉପରାଷ୍ଟ୍ରପତି ନିର୍ବାଚନ ଲାଗି ବିଜ୍ଞପ୍ତି

ଅଗଷ୍ଟ ୬ରେ ନିର୍ବାଚନ

ନୂଆଦିଲ୍ଲୀ: ଜାତୀୟ ନିର୍ବାଚନ କମିଶନ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମଙ୍ଗଳବାର କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନରେ ଭାଗ ନେବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜୁଲାଇ ୧୯ ତାରିଖ ସୁଦ୍ଧା ନିଜର ନାମାଙ୍କନ ଦାଖଲ କରିପାରିବେ। ୨୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୨୨ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଉଭୟ ଲୋକସଭା ଓ ରାଜ୍ୟସଭ୍ୟରେ ସଂଖ୍ୟା ଦୃଷ୍ଟିରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ହାତକୁ ଉପରାଷ୍ଟ୍ରପତି ଆସନ ଯିବା ଏକରକମର ନିଶ୍ଚିତ ହୋଇଯାଇଛି। ସବୁଠାରୁ ବଡ କଥା ହେଉଛି ଉଭୟ ସଦନର ମନୋନୀତ ସଦସ୍ୟମାନେ ସମ୍ପୃକ୍ତ ନିର୍ବାଚନରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ୟୁପିଏ କିମ୍ବା ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଅନୁଷ୍ଠିତ ନିର୍ବାଚନରେ ଉଭୟ ସଦନର ମୋଟ ୭୮୮ ଜଣ ସଦସ୍ୟ ଭୋଟ ଦେଇପାରିବେ। ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ଅନ୍ୟୁନ ୨୦ ଜଣ ଏମପି ପ୍ରସ୍ତାବକ ଓ ସମର୍ଥକ ଭାବେ ସ୍ୱାକ୍ଷର କରିବେ। ଜଣେ ପ୍ରାର୍ଥୀ ସର୍ବାଧିକ ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିପାରିବେ। ପ୍ରାର୍ଥୀଙ୍କୁ ଅମାନତ ଭାବେ ୧୫ ହଜାର ଟଙ୍କା ଜମା କରିବାକୁ ପଡିବ। ପାର୍ଲାମେଣ୍ଟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସୂଚନା ଅନୁସାରେ ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବାକୁ ଯାଉଛି। ନୂଆ ଉପରାଷ୍ଟ୍ରପତି ଅଗଷ୍ଟ ୧୧ ତାରିଖରେ ଶପଥ ନେବେ ବୋଲି ଜଣାପଡିଛି।