(ରିପୋର୍ଟସ ଟୁଡ଼େ): କୃଷି ଉତ୍ପାଦନ ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ଜଟିଳ ରୋଗର ନିଦାନ ଓ ଚିକିତ୍ସାରେ ବାୟୋଟେକ୍ନୋଲୋଜି ବା ଜୈବପ୍ରଯୁକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ଏହି କ୍ଷେତ୍ରର ବିକାଶ ଲାଗି ଏକ ଉତ୍ତମ ସରକାରୀ ନୀତିର ଆବଶ୍ୟକତା ମଧ୍ୟ ରହିଛି। ପୂର୍ବରୁ ୨୦୧୬ରେ ରାଜ୍ୟ ସରକାର ଏକ ବାୟୋଟେକ୍ ନୀତି ପ୍ରସ୍ତୁତ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିକୁ ନଜରରେ ରଖି ଏଥିରେ ସଂଶୋଧନ ଆଣି ସରକାର ନୂଆ ବାୟୋଟେକ୍ ନୀତି-୨୦୧୮ ଘୋଷଣା କରିଛନ୍ତି। କିଛିଦିନ ପୂର୍ବେ ରାଜ୍ୟ କ୍ୟାବିନେଟ ଏହି ନୀତିକୁ ମଞ୍ଜୁରି ଦେଇଥିବାବେଳେ ଆଜି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୧୮ର ଶେଷଦିନରେ ନୂଆ ନୀତିକୁ ଉନ୍ମୋଚନ କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନୂଆ ନୀତିର ଉନ୍ମୋଚନ କରିଛନ୍ତି। ଏଥିସହିତ ଜୈବପ୍ରଯୁକ୍ତି କ୍ଷେତ୍ରର ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ତଥା ଆଇଆଇଏସ୍, ବାଙ୍ଗାଲୋରର ପ୍ରଫେସର ପଦ୍ମଭୂଷଣ ଜି. ପଦ୍ମନାଭନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଏକ ପଲିସି ଭିଜନ ଉପଦେଷ୍ଟା ଗ୍ରୁପ୍ ଗଠନ ଘୋଷଣା କରିଛନ୍ତି। ବାୟୋଟେକ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଫେସର ପଦ୍ମନାଭନ ୬ଟି ସୁପାରିସ କରିଛନ୍ତି। ସେଗୁଡ଼ିକ ହେଲା ଛୁଞ୍ଚି ବିହୀନ (ନିଡିଲ୍ଲେସ୍) ଟୀକାକରଣର ପ୍ରସାର, ନାନୋବଡିଜ୍ର ବିକାଶ, ବାୟୋମାସ୍କୁ ବିଭିନ୍ନ ଗ୍ୟାସ ଓ ରସାୟନିକ ପଦାର୍ଥରେ ରୂପାନ୍ତର, ଜିନ୍ ଏଡିଟିଂ, ଜୈବିକ ପଦ୍ଧତିରେ ମ୍ୟାଲେରିଆର ଦୂରୀକରଣ ଓ ସିନ୍ଥେଟିକ୍ ବାୟୋଲୋଜିର ଉପଯୋଗ। ଭାରତ ବାୟୋଟେକ୍ ପକ୍ଷରୁ ଖୋର୍ଦ୍ଧାଠାରେ ସ୍ଥାପିତ ବାୟୋଟେକ୍ ପାର୍କରେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ବାୟୋଟେକ୍ ଏହାର ନିବେଶକୁ ୫୦୦ କୋଟି ଟଙ୍କାରେ ପହଞ୍ଚାଇବ ବୋଲି ଏହି ସଂସ୍ଥାର ପ୍ରତିଷ୍ଠାତା ଡକ୍ଟର କ୍ରିଷ୍ଣା ଏଲା କହିଥିଲେ। ଭୁବନେଶ୍ବର ପୂର୍ବ ଭାରତର ଶିକ୍ଷା ରାଜଧାନୀରେ ପରିଣତ ହୋଇଛି। ଏଠାରେ ଓୟୁଏଟି, ଉତ୍କଳ ବିଶ୍ବବିଦ୍ୟାଳୟ, ନାଇଜର୍, ଆଇଆଇଟି, ଏମ୍ସ, ଆଇଏଲ୍ଏସ୍ ଭଳି ଉଚ୍ଚ ଗବେଷଣା ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ରହିଛି। ଏହି ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ବୟ ରଖାଯାଇ ଗବେଷଣା କରାଗଲେ ରାଜ୍ୟରେ ବାୟୋଟେକ୍ ଶିଳ୍ପର ବିକାଶ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।