(ଆଦର୍ଶ ରାଉତ) : ଢେଙ୍କାନାଳ ସଦର ରେଞ୍ଜ କମଳାଙ୍କରେ ୭ ହାତୀ ମୃତ୍ୟୃ ଘଟଣାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ବନ ବିଭାଗ କର୍ମଚାରୀ ଓ ଜଣେ ସେସୁର ଅଧିକାରୀ ଗିରଫ ହୋଇଛନ୍ତି । ସେମାନେ ହେଲେ ବହିଷ୍କୃତ ହୋଇଥିବା ସେସୁର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି ଏବଂ ନିଲମ୍ବିତ ହୋଇଥିବା ମେରାମଣ୍ଡଳୀ ସେକ୍ସସନ୍ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ଼ ଗିରିଶ ଚନ୍ଦ୍ର ଦେହୁରୀ । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
ଗତ ୨୬ ତାରିଖ ରାତିରେ ରେଳ ଲାଇନ୍ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ଏହି ମାମଲାର କ୍ରାଇମବ୍ରାଂଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ୫ଟି ମାମଲା ରୁଜୁ କରିଥିଲା । କ୍ରାଇମବ୍ରାଞ୍ଚର ଏସ୍ପିଙ୍କ ନେୃତ୍ୱରେ ଏସ୍ଆଇଟି ବନବିଭାଗ କାର୍ୟ୍ୟାଳୟ ଓ ବିଦ୍ୟୁତ ବିଭାଗ କାର୍ୟ୍ୟାଳୟରେ ଚଢ଼ାଉ କରିଥିଲା । ତେବେ ସଂଜୟ ମହାନ୍ତି, ପ୍ରଭାକର ରଣା ଓ ଗିରିଶ ଦେହୁରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏ ସମସ୍ତଙ୍କୁ ପୂର୍ବରୁ କାର୍ୟ୍ୟରୁ ନିଲମ୍ବିତ କରାଯାଇଥିଲା ।